ଅସାଧୁ ମେଂଟକୁ ସ୍ୱାଗତ ! ରାଜନୀତି ପଶାପାଲିରେ ଗୋଟି ଚଳାଇଲେ ଧର୍ମେନ୍ଦ୍ର

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେଂଟ ରାଜନୀତିରେ ଏଂଟ୍ରୀ ମାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମାଧ୍ୟମ ଭର୍ତୃହରି ହେଲେ ନିଶାନାରେ ନବୀନ । କଂଗ୍ରେସ ସହ ଭବିଷ୍ୟତ ବୁଝାମଣା ବାବଦରେ କଟକ ସାଂସଦଙ୍କ ପଦୁଟିଏ ବକ୍ତବ୍ୟକୁ ଖିଅ କରି ବିଜେଡିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ୨୦୦୯ରେ ଯେତେବେଳେ ବିଜେପି-ବିଜେଡି ମେଂଟ ଭାଙ୍ଗିଥିଲା ସେହି ସମୟରୁ କଂଗ୍ରେସ ସହ ରାଜ୍ୟ ଶାସକ ଦଳ ଲିଂକରେ ରହିଛି ।

ଭର୍ତୃହରିଙ୍କ ଭଳି ପରିପକ୍ୱ ରାଜନେତା ବିନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେବେ ଏଭଳି କହିନଥିବେ । ମୋଦିଙ୍କର ବଢୁଥିବା ଲୋକପ୍ରିୟତା ବିଜେଡିକୁ ଭୟଭୀତ କରିଛି । ଦିନରେ ଗୋଟିଏ କଥା, ରାତିରେ ଆଉ ଗୋଟିଏ ଓ ପରଦିନ ବକ୍ତବ୍ୟ ବଦଳାଉଥିବା ଦଳକୁ ଲୋକେ ପ୍ରତ୍ୟାଖାନ କରିବେ । ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇଛି ।

ମେଂଟକୁ ନେଇ ରାଜନୀତିର ପାଣିପାଗ ଦାନା ବାନ୍ଧୁଥିବା ବେଳେ ୨୫ ତାରିଖ ମହା ସମାବେଶ ପାଇଁ ଅଂଟା ଭିଡିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଡାକି ଶକ୍ତି ପ୍ରଦର୍ଶନ କରିବାକୁ ତିଆରି ହୋଇଛି ଯୋଜନା । ଖାଲି ଏତିକି ନୁହେଁ, ପ୍ରତି ପଂଚାୟତ ସାମ୍ନାରେ ଦଳ ଲଟକା ମାରିବ ।

କଡା ସୁରକ୍ଷା ବଳୟରେ ରହୁଥିବା ନବୀନଙ୍କୁ ପ୍ରଶ୍ନ ପଚାରିବା ସମ୍ଭବ ନଥିବାରୁ ଏଭଳି ତରିକା ଦଳ ଆପଣାଇଛି । ବିଫଳତାକୁ ଆୟୁଧ କରି ରାଜଧାନୀରେ ହେବାକୁ ଥିବା ସମାବେଶକୁ ସମାଲୋଚନା କରିଛି ବିଜେଡି । କହିଛି, ବିଜେପି ଶାସନ ସମୟରେ ରାଜ୍ୟର ବିକାଶ ହୋଇନି ।