ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର

178

କନକ ବ୍ୟୁରାେ: ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିବାବେଳେ ଚାଷୀଙ୍କୁ କାବୁ କରିବାକୁ ନୂଆ ନୂଆ ବାଟ ଆପଣାଉଛି ଦିଲ୍ଲୀ ପୁଲିସ୍ । ଚାଷୀଙ୍କ ଅଟକାଇ ରଖିବା ପାଇଁ ଦିଲ୍ଲୀ- ଉତ୍ତରପ୍ରଦେଶ ଗାଜିପୁର ବୋର୍ଡରୁ ଆସିଛି ଏକ ଅଭିନବ ଚିତ୍ର ।

ରାସ୍ତାରେ ବ୍ୟାରିକେଟ୍ କରିବା ସହ ରାସ୍ତା ଉପରେ କଣ୍ଟା ପୋତିଛି ଦିଲ୍ଲୀ ପୁଲିସ୍ । ଚାଷୀ ଯେମିତି ନିର୍ଦ୍ଧାରିତ ସୀମା ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିବେ ନାହିଁ ସେଥିପାଇଁ ଲୁହା କଣ୍ଟା ପୋତାଯାଇଛି । ସେପଟେ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ କରିବେ କୃଷକ । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି । ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩ ଘଂଟା ଧରି ବନ୍ଦ କରି ରଖାଯିବ । ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଂଟରନେଟ୍ ସେବାରେ କଟକଣା ଏବଂ କ୍ୟାରିକେଟ୍ ଲଗାଇ ରାସ୍ତା ବନ୍ଦ କରିଥିଲା ଦିଲ୍ଲୀ ପୁଲିସ୍ । ସେପଟେ ରାହୁଲ ଟୁଇଟ କରି କହିଛନ୍ତି, ଚାଷୀଙ୍କ ପାଇଁ ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର ।