ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ତାଗିଦ କଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଖରେ ପଡିରହିଛି ମୃତଦେହ । ପଶୁଠାରୁ ବି ମଣିଷକୁ କରାଯାଉଛି ଖରାପ ବ୍ୟବହାର ।

308

କନକ ବ୍ୟୁରୋ: ଦିଲ୍ଲୀରେ କୋଭିଡ ରୋଗୀଙ୍କ ମୃତ ଦେହ ପ୍ରତି ଚରମ ଅବହେଳାର ଚିତ୍ର ଆସିଛି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡାଭାଷାରେ ସମାଲୋଚନା କରିଛନ୍ତି । ଏମିତିକି ଅଳିଆ ଗଦାରୁ ବି ମୃତଦେହ ମିଳୁଥିବା ନେଇ ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ ଦର୍ଶାଇଛନ୍ତି । କୋଭିଡ ରୋଗୀଙ୍କ ୱାର୍ଡରେ ଓ ଲବିରେ ମୃତଦେହ ସବୁ ପଡି ରହିଥିବାର ଅଭିଯୋଗ ହୋଇଥିଲା । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ମାମଲା ପହଁଚିଛି ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କରୋନା ରୋଗୀ ଦିଲ୍ଲୀରେ ଚିକିତ୍ସା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ରୋଗୀଙ୍କ ୱାର୍ଡରେ ରୋଗୀଙ୍କ ପାଖରେ ଶବ ପଡି ରହୁଛି । ଏଭଳି ସମ୍ବେଦନହୀନ ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚନ୍ୟାୟାଳୟ କହିଛନ୍ତି ତାମିଲନାଡୁ,ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ବି ଅବସ୍ଥା ଚିନ୍ତାଜନକ ରହିଛି ।

ସେପଟେ ଦିଲ୍ଲୀରେ ବହୁ କମ ମାତ୍ରାରେ କରୋନା ପରୀକ୍ଷା ହୋଇପାରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏସବୁ ଭିତରେ କିନ୍ତୁ ଦେଶର ରାଜଧାନୀରେ କରୋନା ମୁକାବିଲାକୁ ନେଇ ପ୍ରଶ୍ନ ଛିଡା ହୋଇଛି । ତେବେ ଏନେଇ ଦିଲ୍ଲୀ ସରକାର କ’ଣ ସଫେଇ ରଖୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।