ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଲକଡାଉନ ସମୟରେ ପୁଲିସର ସଂଯମ ଓ ମାନବିକତାକୁ କଲେ ପ୍ରଶଂସା । କହିଲେ, ଓଡିଶା ପୁଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତା ପ୍ରଶଂସନୀୟ ।

248

କନକ ବ୍ୟୁରୋ: ପୁଲିସର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସଂ ମାଧ୍ୟମରେ ପୁଲିିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଂଜର ଡିଆଇଜିଙ୍କ ସହିତ ଆଲୋଚନା କରିଛନ୍ତି । ଲକଡାଉନ ସମୟରେ ପୁଲିସ ସଂଯମ ଓ ମାନବିକତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମାର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଛନ୍ତି ।

ଏପରିକି ନବୀନ କହିଛନ୍ତି ଓଡିଶା ପୁଲିସର ଦକ୍ଷତା ଓ ବୃତିଗତ ଉକ୍ରର୍ଷତା ପ୍ରଶଂସନୀୟ । ତାଲାବନ୍ଦ ବେଳେ ପୁଲିସ ମାନବିକତା ଉପରେ ଗୁରୁତ୍ୱ ଦେଇ କାମ କରିଛି । କରୋନା ଯୁଦ୍ଧ ସରିନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତିଗତ ଦକ୍ଷତାର ସହ କାମ କରିବାକୁ ପଡିବ । ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ରଖିବାକୁ ମୁଖ୍ୟମନ୍ତ୍ରୀ ପୁଲିସ ବାହିନୀକୁ ଆହ୍ୱାନ ଜଣାଇଥିଲେ । ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେମାନଙ୍କର ଏହି କାର୍ୟ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଭିଡ଼ିଓ କନଫେରେନ୍ସିରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍ ସ୍ପିରିଟରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି । ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ।