SBI ଗ୍ରାହକଙ୍କ ପାଇଁ ବଡ ଖବର । ଅନଲାଇନ୍ ଠକେଇରୁ ବଞ୍ଚିବା ପାଇଁ SBI ଆଣିଲା ନୂଆ ଫିଚର, ଗ୍ରାହକ ଲକ୍ କରିପାରିବେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ।

622

ଅନଲାଇନ୍‌ ମାଧ୍ୟମରେ ଟଙ୍କା ନେଣଦେଣର ସୁବିଧା ଆସିବା ପରଠାରୁ ଲୋକେ ଅନଲାଇନ୍‌ ଠକେଇର ଶିକାର ହେବାରେ ଲାଗିଛନ୍ତି । ନକଲି ଫୋନ୍‌ କଲ୍‌ କରି ବିବରଣୀ ନେବା ସହ ଦୁର୍ବୃତ୍ତମାନେ ଟଙ୍କା କାଢ଼ି ନେଉଛନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବିତ୍ତିୟ ସଂସ୍ଥା ବିଭିନ୍ନ ବାଟ ଆପଣାଉଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳୁଛି । ତେବେ ନିଜର ଗ୍ରାହକଙ୍କ ସମସ୍ୟାକୁ ଦେଖି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ ନୂଆ ଫିଚର ଆଣିଛି । ଏହି ନୂଆ ଫିଚର ମାଧ୍ୟମରେ ଦରକାର ନ ଥିଲେ ଗ୍ରାହକମାନେ ନିଜର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲକ୍‌ କରି ପାରିବେ । ଯାହାଦ୍ୱାରା ଆକାଉଣ୍ଟର ବିବରଣୀ କାଢ଼ିବା ସହଜ ହେବ ନାହିଁ ।

ଏସବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ୱେବସାଇଟ୍ ପକ୍ଷରୁ କୁହାଯାଇଛି କି, ଆକାଉଣ୍ଟର ସୁରକ୍ଷା ଏବଂ ନିୟନ୍ତ୍ରଣ ପାଇଁ ଆପଣ ଏବେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲକ୍‌ ବା ଅନ୍‌ଲକ୍‌ କରି ପାରିବେ । ଯାହାର ଲିଙ୍କ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗର ହୋମ୍‌ ପେଜ୍‌ ବା ଲଗ୍‌ ଇନ୍‌ ପେଜରେ ଲକ୍‌ ଆଣ୍ଡ ଅନ୍‌ଲକ୍‌ ୟୁଜର ନାମରେ ଥିବ । ତେବେ ଏହି ସୁବିଧାର ଲାଭ କେବଳ କ୍ଷୁଦ୍ର ଗ୍ରାହକ ଉଠାଇପାରିବେ । କିନ୍ତୁ କର୍ପୋରେଟ୍‌ ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ ନାହିଁ । କ୍ଷୁଦ୍ର ଗ୍ରାହକମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଲକ୍‌ କରିବା ପୂର୍ବରୁ ନିଜର ପ୍ରୋଫାଇଲ ପାସଓ୍ଵାର୍ଡକୁ ମନେ ରଖିବା ଜରୁରୀ । ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ଲଗ୍‌ ଇନ୍‌ ପାସ୍‌ଓ୍ଵାର୍ଡଠାରୁ ଭିନ୍ନ ବୋଲି ଜାଣି ରଖନ୍ତୁ । ପ୍ରଥମେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ରେ ଲଗ୍‌ ଇନ୍‌ କରିବା ସମୟରେ ଆପଣ ଏହି ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ନିଶ୍ଚୟ ତିଆରି କରିଥିବେ । ଯଦି ଆପଣ ଆପଣଙ୍କର ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ଭୁଲି ଯାଇଛନ୍ତି, ତେବେ ଏହାକୁ ପୁଣି ଥରେ ତିଆରି କରିବା ପରେ ହିଁ ଆକାଉଣ୍ଟ ଲକ୍‌ କରନ୍ତୁ ।

ପ୍ରଥମେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ୱେବସାଇଟକୁ ଯାଇ ଏହି ଲିଙ୍କ୍‌ https://www.onlinesbi.com/ ଉପରେ କ୍ଲିକ୍‌ କରନ୍ତୁ । ଯାହା ପରେ ପେଜର ବାମ ପଟେ ଆପଣଙ୍କୁ ଲକ୍‌ ଆଣ୍ଡ ଅନଲକ୍‌ ୟୁଜର ବିକଳ୍ପ ଦେଖାଇବ । ସେହି ବିକଳ୍ପ ଉପରେ କ୍ଲିକ୍‌ କରିବା ପରେ ଏକ ନୂଆ ପେଜ୍‌ ଖୋଲିବ । ସେଠାରେ ଦିଆଯାଇଥିବା ବକ୍ସକୁ ଭରିବା ପରେ କନଫର୍ମ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏହା ପରେ ଆପଣଙ୍କ ସ୍କ୍ରିନ୍‌ ଉପରେ କିଛି ସର୍ତ୍ତାବଳୀ ଆସିବ । ଯଦି ଆପଣ ସେହି ସବୁ ସର୍ତ୍ତବଳୀ ପାଇଁ ରାଜି, ତେବେ Ok ବଟନ୍‌ ଉପରେ କ୍ଲିକ୍‌ କରିବେ ।ଯାହା ପରେ ଆପଣଙ୍କ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଏବଂ ଇମେଲ ଆଇଡିକୁ ଏକ ଓଟିପି ଯିବ । ଓଟିପି ଲେଖି ସବମିଟ୍‌ କରିବା ପରେ ଆପଣଙ୍କ ଆକାଉଣ୍ଟ ଲକ୍‌ ହୋଇଯିବ। ଅନଲକ୍‌ କରିବା ପାଇଁ ମଧ୍ୟ ସମାନ ପ୍ରଣାଳୀ ଆପଣାଇ ପାରିବେ ।