ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ : ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ

ଖୋର୍ଦ୍ଧା ବନ୍ଦ ଭୁବନେଶ୍ୱରରେ ଜାରି ରହିବ ଟିକାଦାନ ପ୍ରକ୍ରିୟା; ରାଜ୍ୟରେ ୧୪ ଶହ ୭୬ କେନ୍ଦ୍ରରୁ ମାତ୍ର ୩୦୨ରେ ହେବ ଟିକାଦାନ

127

କନକ ବ୍ୟୁରୋ : ହୁ ହୁ ହୋଇ ବଢୁଛି ସଂକ୍ରମଣ, ହେଲେ କମୁଛି ଟିକାକରଣ । ଆଜି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ମାତ୍ର ୩୦୨ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ ଓ ପୁରୀ, ଏହି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ୧୪୭୬ ଟିକାକେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ରହିଛି ।

ତେବେ ଟିକା ଅଭାବରୁ ଏହା ଦିନକୁ ଦିନ କମିବାରେ ଲାଗିଛି । ରାଜ୍ୟରେ ମାତ୍ର ୧ ଲକ୍ଷ ୧୯ ହଜାର ୨୨୦ କୋଭିସିଲ୍ଡ ଡୋଜ୍ ଥିବା ବେଳେ ୩ ଲକ୍ଷ ୪୬ ହଜାର ୪୪୦ କୋଭାକ୍ସିନ୍ ଟିକା ଡୋଜ୍ ରହିଛି । କୋଭିସିଲ୍ଡ ଟିକାର ଘୋର ଅଭାବ ଯୋଗୁଁ ଅଧିକାଂଶ ଜିଲ୍ଲାରେ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଆଜି ଖୋର୍ଦ୍ଧାରେ ଟିକାକରଣ ହେବନାହିଁ, ତେବେ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଥିବାରୁ ଟିକାକରଣ କରାଯିବ । ଗତକାଲି ୪୬୯ ଟିକାକେନ୍ଦ୍ରରେ ୪୩ ହଜାର ୮୫୩ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୪୮ ହଜାର ୭୬୯ ଡୋଜ୍ ଦିଆ ଯାଇଥିବା ଜଣାପଡିଛି ।