ଓମିକ୍ରନ ଭାରିଆଣ୍ଟକୁ ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର, ବିଦେଶ ଫେରନ୍ତାକୁ ୧୪ ଦିନିଆ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ

177

କନକ ବ୍ୟୁରୋ : କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ବିଶ୍ୱ ଏବେ ହତ ଚକିତ ହୋଇପଡିଛି । ଏନେଇ ବିଶ୍ୱର ଅନେକ ଦେଶ ପୁଣି ବିଭିନ୍ନ କୋଭଡି କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଏନେଇ ବାରମ୍ବାର ବୈଠକ କରିବା ସହ ସବୁ ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ର ସରକାର ଚିଠି ଲେଖି ଜଣାଇଛନ୍ତି । ଶନିବାରଦିନ ପ୍ରଧାନମନ୍ତ୍ରୀ ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିଥିଲେ ।

ଅନ୍ୟପଟେ ଦେଶର ପ୍ରତି ରାଜ୍ୟ ସରକାର ଏନେଇ ସତର୍କ ସୂଚନା ଜାରି କରିବା ସହ ବିଭାଗୀୟ ସ୍ତରରେ ବୈଠକ ଆରମ୍ଭ କରିଦେଇଛନ୍ତି । କୋଭିଡ-୧୯ ର ବି.୧.୧୫୨୯ ବା ଓମିକ୍ରନ ଭାରିଆଣ୍ଟ ଚଳିତ ସପ୍ତାହରେ ଦକ୍ଷୀଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଦିନ ଏହା ଏକ ଚିନ୍ତା ଜନକ ଭୂତାଣୁ ବୋଲି କହିଛି । ଏହା କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଛି ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜିବ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ଚିଠିରେ ବିପଦ ଥିବା ଦେଶରୁ ଆସୁଥିବା ଲୋକମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ହଟସ୍ପଟ ଅଞ୍ଚଳ ଉପରେ ନଜର ରଖିବା ସହ ସେଠାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସାମ୍ପଲ ଜିନୋମ ସ୍ୱିକେନ୍ସିଂ ପାଇଁ ଆଇଏନଏସଏସିଓଜି ଲ୍ୟାବକୁ ପଠାଇବାକୁ ପରାମର୍ଶ ଦିଆଯାଇଛି ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚିଠି ପାଇବା ପରେ ଉତ୍ତରାଖଣ୍ଡ, କର୍ଣ୍ଣାଟକ,ଉତ୍ତର ପ୍ରଦେଶ,ମଧ୍ୟ ପ୍ରଦେଶ,ବିହାର,ଦିଲ୍ଲୀ ଓ ହରିଆଣା ସରକାର ରାଜ୍ୟରେ ବିଭିନ୍ନ କୋଭିଡ କଟକଣା ଲାଗୁ କରିଛନ୍ତି । ଏହାସହ ୫ ପ୍ରତିଶତ ମଧ୍ୟରେ ସଂକ୍ରମଣ ହାର ରଖିବାକୁ ସବୁ ରାଜ୍ୟ ସରକାର ନିଜ ନିଜର ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଇଛନ୍ତି ।