ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଲେ, ଆମକୁ ଡର ଅଛି କୃଷି ଆଇନ୍ ପୁଣି ଫେରିପାରେ…

152

କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନାହାଁନ୍ତି । ତେବେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଆମେ ଏମଏସପି ଗ୍ୟାରେଣ୍ଟି ନିୟମ , କରୋନାରେ ମରିଥିବା ୫୨ ଲକ୍ଷ ଲୋକଙ୍କୁ ସହାୟତା ଦାବି କରିଥିଲୁ । ହେଲେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ସାମିଲ ହିଁ ହୋଇନଥିଲେ ।

ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ନୂଆ କୃଷି ଆଇନ୍ ବିଷୟରେ ସରକାର ବୁଝାଇବାକୁ ଅସମର୍ଥ ହେବାରୁ ଏପରି କରିଛନ୍ତି । ହେଲେ ଏବେ ବି ଆମର ଡର ଅଛି ଯେ, କୃଷି ବିଲ ପୁଣି ଫେରିପାରେ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖିବାକୁ କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

ତେବେ ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛି । ଯେଉଁଥିରେ ତୃଣମୂଳ କଂଗ୍ରେସ ନେତା ସାମିଲ ହେବେନି ବୋଲି ସିଧାସିଧା କହିସାରିଛନ୍ତି । ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଖଡଗେଙ୍କ କହିବା ମୁତାବକ, ସେ ଡେରେକ୍ ଓ ବ୍ରାଏନଙ୍କ ସହିତ କଥା ହୋଇଛନ୍ତି, କାଲି ତାଙ୍କ ପାର୍ଟିର କାର୍ଯ୍ୟକାରିଣୀ ବୈଠକ ହେବାକୁ ଅଛି । ତେଣୁ ଟିଏମସି ନେତାମାନେ କାଲି ବୈଠକରେ ସାମିଲ ହୋଇପାରିବେନି ବୋଲି ଖଡଗେ ଉତ୍ତର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂୂର୍ବରୁ ଆଜି ସବୁ ଦଳର ସାଂସଦଙ୍କୁ ନେଇ ବୈଠକ ବସିଥିଲା । ଏହି ବୈଠକକୁ କିନ୍ତୁ ଆପ୍ ସାଂସଦମାନେ ବର୍ଜନ କରିଥିଲେ ।