ତନ୍ତ୍ରପୂଜା ବଞ୍ଚାଇ ପାରିବ କି ରମଣ ସିଂଙ୍କ ଗାଦି ! ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଶିଲେ ତାନ୍ତ୍ରିକର ଶରଣ ।

39

ବିଧାନସଭା ଭିତରେ ତନ୍ତ୍ରପାଠ କରାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ । ବିଜେପି ଶାସିତ ରାଜ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଏଭଳି କାର୍ଯ୍ୟକାଳାପ ଦେଖି ଆଶ୍ଚର୍ଯ୍ୟ ଦେଶବାସୀ । ଏହାସହ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ରରେ ଉଠିଛି ରାଜନୈତିକ ଝଡ । ସୁଚନା ମୁତାବକ ଛତିଶଗଡ ମୁ୍ଖ୍ୟମନ୍ତ୍ରୀ ରମଣ ସିଂ ଜଣେ ତାନ୍ତ୍ରିକକୁ ଡକାଇ ବିଧାନସଭା ଗୃହରେ ତନ୍ତ୍ରପୂଜା କରାଇଛନ୍ତି । ଲଗାତାର ଚତୁର୍ଥଥର ପାଇଁ ସରକାର ଗଢ଼ିବା ପାଇଁ ରମଣ ସିଂ ଏହି ତନ୍ତ୍ରପୂଜାର ସାହାରା ନେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏବଂ ତାନ୍ତ୍ରିକ ରାମଲାଲ କଶ୍ୟପ ଏହି ତନ୍ତ୍ରପୂଜା କରାଇଛନ୍ତି ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ତାନ୍ତ୍ରିକ ରାମଲାଲ କଶ୍ୟପ ଗେରୁଆ ବସ୍ତ୍ର ପିନ୍ଧିଥିବାବେଳେ ମୁଣ୍ଡରେ ଲାଲ ସିନ୍ଦୁର ବୋଳିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବେକରେ ୧୧ କିଲୋ ଓଜନର ବିଭିନ୍ନ ପ୍ରକାର ତାନ୍ତ୍ରିକ ମାଳା ଦେଖିବାକୁ ମିଳିଛି । ତେବେ ବିଧାନସଭା ଗୃହରେ ପୂଜାପାଠ ପରେ ବିଧାନସଭା ପରିସରରୁ ମାଟି ନେବା ଘଟଣା ଅଧିକ ରୋଚକ କରିଦେଇଛି ।


କାହିଁକି ତନ୍ତ୍ରପାଠ ଲୋଡିଲେ ରମଣ ସିଂ ?

ବିଧାନସଭା ଗୃହରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ତାନ୍ତ୍ରିକକୁ ଡାକିବାର ଗୋଟିଏ ଅର୍ଥ ହେଉଛି ଯେ, ପୂର୍ନବାର କ୍ଷମତାକୁ ଆସିବା ପାଇଁ ଚାହୁଁଛନ୍ତି ରମଣ । ତେବେ ଛତିଶଗଡ ବିଧାନସଭା ଶାସନକାଳ ଅବଧି ୨୦୧୯ ଜାନୁଆରୀ ୫ ତାରିଖରେ ଶେଷ ହେବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନୀ ତାରିଖ ଘୋଷଣା ହୋଇ ନାହିଁ । ହେଲେ ଇତି ମଧ୍ୟରେ ରମଣ ସିଂଙ୍କ ଏଭଳି ତନ୍ତ୍ରପାଠ କରାଇବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ହୋଇଥିବା ୨୦୧୩ ବିଧାନସଭା ନିର୍ବାଚନରେ ୯୦ଟି ଆସନ ମଧ୍ୟରୁ ୪୯ ଆସନରେ ବିଜୟ ହୋଇ ସରକାର ଗଢ଼ିବାରେ ସକ୍ଷମ ହୋଇଥିଲେ ରମଣ । ବିରୋଧି ଦଳଭାବେ କଂଗ୍ରେସ ମଧ୍ୟ ୩୯ଟି ଆସନ ହାତେଇ କଡା ଟକ୍କର ଦେଇଥିଲା ।

ଯଦି ଗତ ନିର୍ବାଚନ ଭୋଟ ହାରକୁ ତୁଳନା କରାଯାଏ, ଛତିଶଗଡରେ ବିଜେପିକୁ ୫୪ ପ୍ରତିଶତ ଆସନରେ ବିଜୟ ମିଳିଥିବାବେଳେ କଂଗ୍ରେସକୁ ୪୪ ପ୍ରତିଶତ ଆସନରେ ମିଳିଥିଲା ଜନମତ । ତେବେ ଆଗାମୀ ନିର୍ବାଚନରେ କର୍ଣ୍ଣାଟକର ସ୍ଥିତି ଦେଖି ଭୟଭୀତ ହୋଇପଡିଛନ୍ତି ରମଣ ସିଂ । ତେଣୁ ତାନ୍ତ୍ରିକକୁ ଡାକି ବିଧାନସଭା ଗୃହକୁ ପୂଜାପାଠ କରି ପୁଣି କ୍ଷମତାକୁ ଆସିବା ପାଇଁ ଆସ୍ଥା ପ୍ରକଟ କରିଛନ୍ତି ରମଣ । ତେବେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠିଲାଣି କ’ଣ ମୋଦି ଆଉ ଅମିତ ଶାହାଙ୍କ ଯୋଡି ଉପରେ ରମଣ ସିଂଙ୍କ ବିଶ୍ୱାସ ନାହିଁକି? ନା ବିରୋଧୀଙ୍କ ମେଣ୍ଟ ଭୟରେ ଛାନିଆ ହୋଇପଡିଲେଣି ଛତିଶଗଡର ମୁଖ୍ୟମନ୍ତ୍ରୀ । ଏଭଳି ତମାମ ପ୍ରଶ୍ନ ସାଧାରଣରେ ଉଠିବାରେ ଲାଗିଛି । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ ୨୦୧୪ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତନ୍ତ୍ରମନ୍ତ୍ର ସାଧନା କରିବା ଘଟଣା ଚର୍ଚ୍ଚାରେ ଥିଲା ।