ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ୫ ପ୍ରଧାନ ଶିକ୍ଷକ ଓ ୪ ଇଂଜିନିୟରଙ୍କ ସମେତ ୧୬ ଜଣ ଅଫିସରଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର

ମାସକ ଭିତରେ ୩୭ ଅଧିକାରୀ ବରଖାସ୍ତ

1,255

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି । ପୁଣି ୧୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୫ ପ୍ରଧାନ ଶିକ୍ଷକ ଓ ୪ ଇଂଜିନିୟରଙ୍କ ସମେତ ୧୬ ଜଣ  ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ୫ ଜଣ ପ୍ରଧାନ ଶିକ୍ଷକ ହୋଇଥିବା ବେଳେ ୪ ଜଣ ହେଉଛନ୍ତି ଇଂଜିନିୟର , ୨ ଜଣ ରେଭେନ୍ୟୁ ଇନସପେକ୍ଟର, ଜଣେ ଫାର୍ମାଶିଷ୍ଟ, ଜଣେ ଅମୀନ , ଜଣେ ପଂଚାୟତ ଏଜ୍ୟୁକୁଟିଭ୍ ଅଫିସର ଏବଂ ୨ ଜଣ କିରାଣୀ ସାମିଲ ଅଛନ୍ତି । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ- ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ଯିବେଶ ଚନ୍ଦ୍ର ରଥ, ଦଶପଲ୍ଲା ରୁରାଲ୍ ୱାର୍କର ଆସିଷ୍ଟାଂଟ ଇଂଜିନିୟର ତ୍ରୁପ୍ତି ଭେଙ୍କେଟେଶ୍ୱର ପାଣି, କାମାକ୍ଷାନଗର ବ୍ଲକ୍ ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର , ଯାଜପୁର ମାଇନର ଇରିଗେସନ ଡିଭିଜନର ଜୁନିଅର ଇଂଜିନିୟର ପ୍ରକାଶ ଚନ୍ଦ୍ର ସିଂହ , ବଳରାମପୁର ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଲକର ସାରଙ୍ଗପାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଏବଂ ଟୋମ୍ ସ୍କୁଲ ପାପଡାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳର କୋଟଗଡ ବ୍ଲକ ଏସଇସି ଅଡାରୀ ନ୍ୟୁ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ, କୋଦଳା ତହସିଲ ଅଫିସର ରେଭେନ୍ୟୁ ଇନସପେକ୍ଟର ମଙ୍ଗୁଳୁ ନାଏକ, ଶାଳପଡାର ରେଭେନ୍ୟୁ ଇନସପେକ୍ଟର ନରହରି ଓଝା, କେନ୍ଦୁଝର ବାସୁଦେବପୁରର ପିିଡିର ଅମୀନ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାଶିଷ୍ଟ ସନ୍ତୋଷ କୁମାର ପଣ୍ଡା , ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକର ପଂଚାୟତ ଏଜ୍ୟୁକୁଟିଭ୍ ଅଫିସର ଶ୍ରୀ ପ୍ରଶାନ୍ତ ଚନ୍ଦ୍ର ନାୟକ ।

ଉଲ୍ଲେଖ ଥାଉ କି, ଗତ ଏକ ମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହିତ ୬ ଜଣଙ୍କ ପେନସନ ବନ୍ଦ କରିଛନ୍ତି ରାଜ୍ୟ ସରକାର ।