ଜୀବନର ମୋଡ଼ ବଦଳେଇଦେଲା ନୂଆ ମୋଟର ଯାନ ଆଇନ୍। ଗାଡି ଚାଳକରୁ ପାଲଟି ଗଲେ ସଫଳ ବ୍ୟବସାୟୀ, ଚାକିରି ଛାଡ଼ି ନିଜେ ହୋଇଛନ୍ତି ସ୍ବାବଲମ୍ବୀ

873

କନକ ବ୍ୟୁରୋ : ବସରେ ଟଙ୍ଗା ହୋଇଥିବା ରଙ୍ଗ ବେରଙ୍ଗର ପୋଷାକକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଭାବୁଥିବେ ଏଇଟା ବସ୍ ନା ଲୁଗା ଦୋକାନ ? ବାସ୍ତବରେ, ଦିନେ ଯାତ୍ରୀଙ୍କୁ ନେଇ ରାସ୍ତାରେ ଗଡୁଥିବା ବସ ଏବେ ପାଲଟିଯାଇଛି ଲୁଗା ଦୋକାନ । ନୂଆ ମୋଟର ଭେଇକିଲ୍ ଆକ୍ଟ ପାଇଁ ବଦଳିଯାଇଛି ରୋଜଗାରର ପନ୍ଥା । ବଦଳି ଯାଇଛି ବସ ଡ୍ରାଇଭର ଜଗନ୍ନାଥଙ୍କ ଜୀବନ ।

ବସ୍ ଭିତରେ ବସି ଲୁଗା ବିକ୍ରି କରୁଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ଜଗନ୍ନାଥ ସେଠ । କଟକ ବାଙ୍କୀରେ ତାଙ୍କ ଘର । ଦିନ ଥିଲା, ସେ ଡ୍ରାଇଭର ଭାବେ କାମ କରି ପେଟ ପୋଷୁଥିଲେ । କିନ୍ତୁ ପରେ ଡ୍ରାଇଭର ଭାବେ ନଚଳି ନିଜେ କିଛି ବ୍ୟବସାୟ କରିବାକୁ ମନ ବଳାଇଥିଲେ ଜଗନ୍ନାଥ । ଆଉ ଜଗନ୍ନାଥଙ୍କ ଇଛା ଅନୁସାରେ ଭାଗ୍ୟ ମଧ୍ୟ ତାଙ୍କର ସାଥ୍ ଦେଇଥିଲା । ସରକାରଙ୍କ ନୂଆ ମୋଟର ଯାନ ଆଇନ୍ ଜୀବନର ମୋଡ ବଦଳାଇଦେଇଥିଲା । ୧୫ ବର୍ଷରୁ ଅଧିକ ବର୍ଷର ଗାଡି ନଚାଲିବା ପାଇଁ ଘୋଷଣା ହେବା ପରେ ଜଗନ୍ନାଥ ଯେଉଁ ମାଲିକ ପାଖରେ ଗାଡି ଚଲାଉଥିଲେ, ସେହି ମାଲିକଙ୍କ ନିକଟରୁ ଗୋଟିଏ ପୁରୁଣା ବସକୁ କିଣି ସେଥିରେ ଲୁଗା ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏହି ରାସ୍ତାରେ ପ୍ରତିଦିନ ଅନେକ ଗାଡି ମୋଟର ଯିବା ଆସିବା କରନ୍ତି । ତା ଭିତରୁ କେବେ କେହି ଗାଡିବାଲାଙ୍କୁ ଯଦି ହଠାତ କିଛି ଡ୍ରେସ, ପ୍ୟାଣ୍ଟ ତଥା ରାତି ପିନ୍ଧା ଡ୍ରେସ ଭଳି କିଛି ଦରକାର ହୁଏ ତାହାଲେ ସାଙ୍ଗେ ସାଙ୍ଗେ ଗାଡି ଲାଗେ ଜଗନ୍ନାଥ ସେଠଙ୍କ ଏହି ବସ୍ ଆଗରେ । ପୁଅଙ୍କ ପାଇଁ ବିଭିନ୍ନ ପ୍ରକାରର ପୋଷାକ ସାଙ୍ଗକୁ ଛୋଟପିଲାଙ୍କ ପାଇଁ ଡ୍ରେସ ଏବଂ ମହିଳାଙ୍କ ପାଇଁ ସ୍ପେଶାଲ ରାଜସ୍ଥାନୀ ଚୁଡ଼ି, ନାଇଟୀ ଆଦି ସାମଗ୍ରୀ ମଧ୍ୟ ସେ ଏଠି ବିକ୍ରି କରୁଛନ୍ତି। ଯେଉଁଥି ପାଇଁ ଆଖ ପାଖ ଅଞ୍ଚଳର ଲୋକମାନେ ମଧ୍ୟ ଏଠୁ କମ ଦରରେ ଭଲ ଜିନିଷ ପାଉ ଥିବାରୁ ଜଗନ୍ନାଥଙ୍କ ଏହି ନିଆରା ବ୍ୟବସାୟ ପାଇଁ ଖୁସି ହୁଅନ୍ତି ।

ତେବେ କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ମିଳେ। ଏବଂ ଜଗନ୍ନାଥଙ୍କ କ୍ଷେତ୍ରରେ ତାହା ହିଁ ଦେଖିବାକୁ ମିଳିଛି । ବସକୁ କବାଡ଼ିରେ ବିକ୍ରି ନକରି ସେ ଆପଣେଇ ଥିବା ଏହି ନିଆରା ଉପାୟରେ ବ୍ୟବସାୟ ଏବେ ତାଙ୍କୁ ଏକ ନିଆରା ପରିଚୟ ମଧ୍ୟ ଦେଇଛି ।