ଜଗନ୍ନାଥ ମନ୍ଦିର ଗର୍ଭଗୃହରେ ଜଳିବନି ନକଲି ଘିଅର ଦୀପ : ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

35

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ଯିବନି ନକଲି ଘିଅ । ଗତକାଲି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଗର୍ଭଗୃହରେ ଅବାଧ ଦୀପ ଜାଳିବାକୁ ନେଇ ଗତକାଲି ଛତିଶା ନିଯୋଗ ବୈଠକରେ ପ୍ରବଳ ହୋହାଲ୍ଲା ହୋଇଥିଲା । ନକଲି ଘିଅରେ ଦୀପ ଜଳୁଥିବାରୁ ଶ୍ରୀମନ୍ଦିର ପଥର ନଷ୍ଟ ହେଉଥିବା ବେଳେ ଚଟାଣ ଖସଡା ହେଉଛି । ସେବାୟତ ପଡି ଆହତ ହେଉଛନ୍ତି । ଏଣୁ ନକଲି ଘିଅ ନନେଇ କେବଳ ରାଶି ତେଲ ବ୍ୟବହାର କରିବା ପାଇଁ ଆଗାମୀ ଦିନରେ କଡାକଡି କରାଯିବ ବୋଲି ଶୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କେବଳ ଗର୍ଭଗୃହରେ ନୁହେଁ, ଶ୍ରୀମନ୍ଦିର ଭିତରକୁ ନକଲି ଘିଅ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏଥିସହ ମନ୍ଦିର ଭିତରେ ବାରଣ ହେବ ପାନ ଓ ଗୁଟଖା ।

ଶ୍ରୀମନ୍ଦିର ହୁଣ୍ଡିକୁ ଅନେକ ଲୁଗାପଟା ଦାନ ଆକାରରେ ଆସୁଥିବାବେଳେ ଏଗୁଡିକର ନିଲାମ କରାଯାଉ ନାହିଁ । ଫଳରେ ଅନେକ ସଂଖ୍ୟାରେ ଲୁଗାପଟା ଓ ଶାଢୀ, ବର୍ଷବର୍ଷ ଧରି ପଡିରହିଛି । ଏଗୁଡିକର ନିଲାମ କରିବାକୁ ଛତିଶା ନିଯୋଗ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଆଗାମୀ ୭ ତାରିଖରେ ବଳଭଦ୍ର ଜନ୍ମ ନୀତି ଓ ଗ୍ରହଣ ଲାଗୁଥିବାରୁ ସ୍ୱତନ୍ତ୍ର ପୂଜାବିଧି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତ ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ ।