ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା । ବାକି ଟଙ୍କା ନଦେଲେ କଟିବ ବିଦ୍ୟୁତ ସଂଯୋଗ, ଜାନୁଆରୀ ୧୫ ପର୍ଯ୍ୟନ୍ତ ରହିଛି ଡେଡଲାଇନ୍ । ଜାଣନ୍ତୁ ପ୍ରଥମେ ପଡିବ କାହାର ପାଳି ।

2,124

କନକ ବ୍ୟୁରୋ : ବାକି ଟଙ୍କା ନଦେଲେ ବିଦ୍ୟୁତ କଟିବ । ଆଉ ଏଥିପାଇଁ ଡେଡଲାଇନ ଦେଇଛି ସେସୁ । ଆସନ୍ତା ୧୫ ଜାନୁଆରୀ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ନଦେଲେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସତର୍କ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା ।

ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଉପଭୋକ୍ତା ମାନେ ବିଜୁଳି ବିଲ୍ ପୈଠ ନ କରିବାରୁ ସେସୁର ୧୯୭୧ କୋଟି ଟଙ୍କା ବାକି ପଡିଛି । ତେଣୁ ଏହି ବକେୟା ଟଙ୍କା ଉପଭୋକ୍ତାଙ୍କ ଠାରୁ ଆଦାୟ କରିବାକୁ ଡେଡଲାଇନ୍ ଦେଇଛି ସେସୁ । ପ୍ରାୟ ୭ ଲକ୍ଷ ଉପଭୋକ୍ତା ବିଦ୍ୟୁତ ବିଲ୍ ଦେଇନଥିବା ସ୍ପଷ୍ଟ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ବିଦ୍ୟୁତ୍ ବିଲ୍ ବାକି ରଖିଥିବା ଉପଭୋକ୍ତାଙ୍କ ମଧ୍ୟରେ ୯୨ ପ୍ରତିଶତ ଘରୋଇ ଉପଭୋକ୍ତା । ଯେଉଁମାନଙ୍କ ଉପରେ ବକେୟା ବିଦ୍ୟୁତ ବିଲ୍ ବାବଦକୁ ୧୦୨୩ କୋଟି ଟଙ୍କା ରହିଛି । ସେହିଭଳି ୫୮ ହଜାର ଉପଭୋକ୍ତାଙ୍କର ୫୦ ହଜାର ଟଙ୍କାରୁ ଅଧିକ ବକେୟା ଅଛି। ଏହିଭଳି ଭାବେ ମୋଟ ୬୯୧ କୋଟି ଟଙ୍କା ବାକି ରହିଛି । ଏହାଛଡା ୧ ଲକ୍ଷ ୪ ହଜାର ଲୋକ ୨ ବର୍ଷ ହେଲା ବକେୟ ଟଙ୍କା ଦେଇନାହାନ୍ତି ।

ତେବେ ଉପଭୋକ୍ତା ମାନେ ସର୍ବାଧିକ ୬ଟି କିସ୍ତିରେ ବକେୟା ବିଦ୍ୟୁତ୍ ବିଲ ଦେଇପାରିବେ । ଚେକ୍, ନଗଦ ଟଙ୍କା, ଅନଲାଇନରେ ଏହି ବକେୟା ବିଲ୍ ଦେଇପାରିବେ ଉପଭୋକ୍ତା । ଏପରିକି ଯେଉଁ ଉପଭୋକ୍ତା ଟଙ୍କା ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ପାଖକୁ କମ୍ପାନିର କର୍ମଚାରୀ ଯାଇ ଟଙ୍କା ଆଣିପାରିବେ । ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇଦେବା ଓ ତା ସାଙ୍ଗକୁ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏହି ଟଙ୍କା ଆଦାୟ କରାଯାଉଥିବା କହିଛନ୍ତି ଅରୁଣ । ଏହାଛଡା ଶିଳ୍ପନୁଷ୍ଠାନ ଗୁଡିକ ୧୦୮ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରଖିଛନ୍ତି । ମୋଟ ୨୦୯ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଉପରେ ଲିଗାଲ ଡିସପୁଟ ରହିଛି ।

 ୭ ଲକ୍ଷ ଉପଭୋକ୍ତା ବକେୟା ଟଙ୍କା ଦେଇନଥିବା ବେଳେ ସମସ୍ତଙ୍କ ବିଦ୍ୟୁତ୍ ସଂଯୋଗ କାଟିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ସେସୁ ସିଇଓ । ତେଣୁ ଯେଉଁ ଉପଭୋକ୍ତା ଜାଣିଶୁଣି ଦୀର୍ଘଦିନ ଧରି ବକେୟା ରଖୁଛନ୍ତି, ଯେଉଁମାନଙ୍କର ଲକ୍ଷାଧିକ ଟଙ୍କା ବାକି ରହିଛି ସେମାନଙ୍କର ପ୍ରଥମେ ବିଦ୍ୟୁତ ସଂଯୋଗ ଛିନ୍ନ କରାଯିବ ବୋଲି କହିଛନ୍ତି ଅରୁଣ । ତେଣୁ ବିଦ୍ୟୁତ୍ ସଂଯୋଗ ଛିନ୍ନ ହେବା ପୂର୍ବରୁ ଟଙ୍କା ପୈଠ କରିବାକୁ ନିବେଦନ କରିଛନ୍ତି ଅରୁଣ ବୋଥ୍ରା ।