ବିଆରଏସର ଓଡିଶା ପାଇଁ ବଡ ଯୋଜନା: ବିଜୟ ବନିବେ କି ଦଳର ଟ୍ରମ୍ପକାର୍ଡ ?

480

କନକ ବ୍ୟୁରୋ: ରାଜ୍ୟର ଅନେକ ନେତା ବିଆରଏସରେ ଯୋଗଦେବା ପରେ, ଏ ହେଉଛି ଓଡିଶାରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ଆଉ ଶୁଣନ୍ତୁ କଣ କହୁଛନ୍ତି ବିଆରଏସର ଓଡିଶା ନେତା ଅକ୍ଷୟ କୁମାର । ଅନେକ ବରିଷ୍ଠ ନେତା ଦଳର ଯୋଗାଯୋଗରେ ଅଛନ୍ତି , ସେଥିମଧ୍ୟରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି । ଅକ୍ଷୟ କୁମାର କହିଛନ୍ତି ବିଜୟଙ୍କସହ ଅନ୍ୟ ରାଜନୈତିକ ଦଳର ନେତାମାନେ ଦଳର ସମ୍ପର୍କରେ ଅଛନ୍ତି । ତେବେ କିଛିଦିନ ତଳେ ବିଜୟଙ୍କୁ ଏବାବଦରେ ପଚରା ଯାଇଥିବାବେଳେ ଖୁବଶୀଘ୍ର ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କହିଥିଲେ ।

ଖୁବଶୀଘ୍ର କେ.ଚନ୍ଦ୍ରଶେଖର ରାଓ ଓଡିଶା ଆସିବେ । ଏହି ସମୟରେ କିଛି ବଡ ଘୋଷଣା କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଏହାପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଦଳର ଆଭିମୁଖ୍ୟ ଏବଂ ରଣନୀତି ବିଷୟରେ କହିଛନ୍ତି ଦଳର ନେତା । ଚାଷୀ, ଦଳିତ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ତେଲେଙ୍ଗାନାର ସଫଳ ମଡେଲକୁ ଓଡିଶାରେ ପ୍ରୟୋଗ କରି ଶାସନ କରିବାକୁ ଯୋଜନା କରୁଛି ଦଳ । ଦୀର୍ଘ ଦିନର ଶାସନର ବିକଳ୍ପ ଖୋଜୁଛନ୍ତି ଓଡିଶାବସୀ ଏବଂ ବିରୋଧୀ ନୀରବ ଥିବାରୁ ବିଆରଏସ ଓଡିଶାରେ ସରକାର କରିପାରିବ ବୋଲି ଆଶା ରଖିଛନ୍ତି ଦଳର ନେତା । ତେବେ ଓଡିଶାକୁ ନେଇ କେସିଅରେ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ପୂରଣ ହେବ ନାହିଁ ବୋଲି କହିଛନ୍ତି ବିଜେଡି, କଂଗ୍ରେସ୍ ।

୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟର ୧୪୭ଟି ବିଧାନସଭା ଏବଂ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଆରଏସ । ମାସେ ମଧ୍ୟରେ ଦକ୍ଷ ଲୋକଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇ ଗାଁରୁ ଗାଁକୁ ଯାଇ ପ୍ରଚାର କରିବ ଦଳ । ପୂର୍ବରୁ ତେଲୁଗୁଦେଶମ ପାର୍ଟି ଦକ୍ଷିଣ ଓଡିଶାରେ ନିଜର ପତିଆରା ସୃଷ୍ଟି ପାଇଁ ଉଦ୍ୟମ କରିଥିଲା । ଏବେ କେସିଆରଙ୍କ ରଣନୀତି କେତେ କାମ ଦେବ ସେ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି ରାଜନୈତିକ ସମୀକ୍ଷକ ।