ରାଜ୍ୟ ସରକାର ଓ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନଶୃଙ୍ଖଳାକୁ ନେଇ ଉଠାଇଲେ ପ୍ରଶ୍ନ ।

147

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଘଟିଥିବା କେତେକ ଅପରାଧର ଉଦାହରଣ ଦେଇ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତିି, ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଆକ୍ରମଣ ହେଉଛି । ବାଲେଶ୍ୱରରେ ବାଲି ମାଫିଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସକର୍ମୀ ହତ୍ୟା କଲେ । ଗୋଟିଏ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଘଟଣା ଘଟିବା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ନବ ଦାସଙ୍କ ହତ୍ୟାର ତଦନ୍ତ ନେଇ ସରକାର ଗମ୍ଭୀର ନୁହେଁ । ତଦନ୍ତରେ ମୂଳଦୁଆକୁ ନେଇ ଅସାମଞ୍ଜସ୍ୟ ରହିଛି ।

ନବ ଦାସଙ୍କ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । କହିଛନ୍ତି. କମିସନ ଆକ୍ଟରେ ନ୍ୟାୟାଧୀଶ ନିଯୁକ୍ତ ହୋଇନାହାନ୍ତି, ତଦାରଖ କରୁଥିବା ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାର କ’ଣ, ସେଥିରେ ସ୍ପଷ୍ଟତା ନାହିଁ । ପ୍ରତ୍ୟେକ ଅଭିଯୋଗ ପାଇଁ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଛି । ତଦନ୍ତର ମୂୂଳଦୁଆ ଯେଉଁଠି ଠିକ୍ ନାହିଁ ସେଠି ସ୍ପଷ୍ଟତା ଆସିବନି । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନୁହେଁ । ଏଣୁ ଥାର୍ଡ ପାର୍ଟିକୁ ତଦନ୍ତଭାର ଦିଅନ୍ତୁ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ନିରବତା ଅବଲମ୍ବନ କରିବା ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ସଚେତନ ହୁଅନ୍ତୁ, ଦାୟିତ୍ୱ ନିଅନ୍ତୁ । ପୁଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସିଯିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଧର୍ମେନ୍ଦ ପ୍ରଶ୍ନ ଉଠାଇବା ପରେ, ଜବାବ ରଖିଛି ଶାସକ ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିବା ଦୁର୍ଭାଗ୍ୟଜନକ । ଓଡି଼ଶା ସରକାରଙ୍କର କିଛି ଲୁଚାଇବାରନାହିଁ । ସେଥିପାଇଁ ହାଇକୋର୍ଟ ଯାଇଥିଲେ ଓ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କହିଥିଲେ । ଏବଂ ହାଇକୋର୍ଟ ଦେଇଥିବା ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉଛି । ଅପରାଧିକ କାର୍ଯ୍ୟକୁ ରାଜନୀତିକରଣ କରି ଫାଇଦା ନେବାକୁ ଚେଷ୍ଟା କଲେ କେବେ ଓଡି଼ଶାବାସୀ ଗ୍ରହଣ କରିବେ ନାହିଁ । ସେହିପରି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଆଇନଶୃଙ୍ଖଳା ଏକ ସ୍ପର୍ଶକାତର ବିଷୟ । ଭାରତବର୍ଷରେ ଆଇନଶୃଂଖଳା ସଜାଡିବାରେ ଓ ପୁଲିସ ପ୍ରଶାସନକୁ ଦେଖିବାରେ ସାରା ଦେଶର ସାମଗ୍ରିକ ଦାୟିତ୍ୱ ରହୁଛି । ରାଜ୍ୟ ସରକାର ସବୁବେଳେ ଏ ଦିଗରେ ପଦକ୍ଷେପ ନେଇଛନ୍ତି ।

ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ରାଜନୀତିର ରଙ୍ଗ ଲାଗିଛି । ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏପରକି କ୍ରାଇମବ୍ରାଞ୍ଚ ତଦନ୍ତର ବିଶ୍ୱସନୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଆସୁଛନ୍ତି ବିରୋଧୀ । କିନ୍ତୁ ଏସବୁ ଭିତରେ ନବ ଦାସଙ୍କ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ।