କେତେ ସତ କହୁଛନ୍ତି ଗୋପାଳ? ଲେୟାରଡ୍ ଭଏସ୍ ଆନାଲିସିସରୁ ଜଣାପଡିବ ସତ …

220

କନକ ବ୍ୟୁରୋ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଜେରା କରୁଛି । କିନ୍ତୁ ଜେରା ବେଳେ ସେ କେତେ ସତ କହୁଛନ୍ତି, ତାହା ଜାଣିବା କ୍ରାଇମବ୍ରାଞ୍ଚ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

ଗୋପାଳଙ୍କ କଥାର ସତ ମିଛ ଜାଣିବା ପାଇଁ, ଲେୟାରଡ୍ ଭଏସ୍ ଆନାଲିସିସ୍ ପରୀକ୍ଷା କରାଯାଇଛି । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା ସ୍ୱୀକାର କରୁୁଥିବା ବେଳେ, ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି । ଦିଲ୍ଲୀର କେନ୍ଦ୍ରୀୟ ଫରେନ୍ସିକ୍ ସାଇନ୍ସ ଲବରେଟୋରି ବା ସିଏଫଏସ୍ଏଲର ଟିମ୍ ଏହି ପରୀକ୍ଷା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏଲଭିଏ ଟେଷ୍ଟ ଦ୍ୱାରା ,
– ଜଣଙ୍କର ରେକର୍ଡ ହୋଇଥିବା ସ୍ୱରକୁ ଅନୁଧ୍ୟାନ କରି ମାନସିକ ସ୍ଥିତି ପରଖି ହେବ
– କେତେ ସତ କେତେ ମିଛ କହୁଛି ଧରାପଡିବ
– ପୁୁରୁଣା କଲ ରେକର୍ଡ ଭଏସ ନିର୍ଦ୍ଧିଷ୍ଟ ଭାବେ ସେହି ବ୍ୟକ୍ତିର କି ନାହିଁ ଜଣାପଡିବ
– କେତେ ସକ୍ରିୟ ରହିଛନ୍ତି, ଉତ୍ସାହୀ, ଭାବପ୍ରବଣତା ରହୁଛନ୍ତି
– ଚାପଗ୍ରସ୍ତ, ବୌଦ୍ଧିକ ଶକ୍ତି, ଆତ୍ମବିଶ୍ୱାସୀ, ଏକାଗ୍ରତା କିଭଳି ରହିଛି

ନବ ଦାସଙ୍କୁ ଗୁଳି କରିବା ପରେ ଅଭିଯୁକ୍ତ ଗୋପାଳ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଦାବି କରିଥିଲେ । ଏଥିପାଇଁ ସେ ପୂର୍ବରୁ ଚିକିତ୍ସିତ ହୋଇଥିଲେ ଓ ଔଷଧ ଖାଉଥିଲେ ବୋଲି କହିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ, ପ୍ରକୃତ ସତ କଣ ଜାଣିବା ପାଇଁ, ଗୋପାଳଙ୍କ ଫରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟବା ମନସ୍ତାତ୍ୱିକ ପରୀକ୍ଷା କରିବାକୁ ଏସସିବିର ୪ ଜଣିଆ ଟିମ୍ ଝାରସୁଗୁଡାରେ ପହଞ୍ଚିଛନ୍ତି । ଗୋପାଳଙ୍କ ମାନସିକ ସ୍ଥିତି କଣ ରହିଛି ତାର ଯାଞ୍ଚ କରୁଛନ୍ତି ।

ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ପୁଣି ରିମାଣ୍ଡରେ ଆଣି ଜେରା କରୁଥିବାବେଳେ ବ୍ରହ୍ମପୁର ଛାଡ଼ିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଗତ ୫ ଦିନ ଧରି ଗୋପାଳ ଓ ତାଙ୍କ ପରିବାର ଲୋକେ, ବନ୍ଧୁ ଓ ପରିବାର ଲୋକ, ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ୫ ଦିନର ପଚରାଉଚରା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଏବଂ ଆବଶ୍ୟକ ପଡିଲେ ପୁଣି ବ୍ରହ୍ମପୁର ଆସି ପଚରାଉଚରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ହେଲେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଉପରୁ ୬ଦିନ ପରେ ବି ପରଦା ହଠାଇ ପାରିନି କ୍ରାଇମବ୍ରାଞ୍ଚ । ଏବଂ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ଓଡିଶାବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।