ରାଜଧାନୀରୁ ଜବତ ହେଲା ୩୨ଟି ଜୀବନ୍ତ ବୋମା ! ପାଣ୍ଡିଆନଙ୍କ ଘରକୁ ଗୋବର ପକାଇଥିବା ଯୁବକଙ୍କ ଫ୍ୟାକ୍ଟ୍ରିରୁ ବୋମା ଠାବ କଲା ପୋଲିସ

36

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଗୋବର ମାଡ କରି ଗିରଫ ହୋଇଥିବା ଝାରପଡାର କୁନୁ ଜେନାଙ୍କ ଫାବ୍ରିକେସନ ପରିସରରୁ ୩୨ଟି ଜୀବନ୍ତ ବୋମା ଜବତ କରାଯାଇଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏହି ୫ ଅଭିଯୁକ୍ତ ହେଉଛନ୍ତି ଆଠଗଡର ସୁବାଶିଷ ସାହାଣୀ, ପୁରୀର ଜ୍ୟୋତି ପ୍ରକାଶ ମହାନ୍ତି, କଟକର ଶ୍ରୀକାନ୍ତ ନାୟକ ଓ ଶିପୁନ୍ କବି ଏବଂ ଢେଙ୍କାନାଳର ପବନ ନାୟକ । ସମସ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନା ଅଧିନରେ ହତ୍ୟା, ହତ୍ୟା ଧମକ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି ।

ତେବେ ଏହି ଅଭିଯୁକ୍ତ ମାନଙ୍କୁ କୁନୁ ଜେନା ହିଁ ମୃତୟନ କରିଥିଲା ବୋଲି ପୁଲିସ କହିଛି । ତେବେ ଏହି ୫ ଅଭିଯୁକ୍ତ ଲକ୍ଷ୍ମୀସାଗର ଥାନା ଅଧିନ ସଂଜୀବ ଶ୍ରୀଚନ୍ଦନଙ୍କ ଘରେ ବୋମା ମାଡ କରି ଫେରାର ଥିଲେ ବୋଲି ଜଣା ପଡିଛି । ଏହି ୫ ଅଭିଯୁକ୍ତ ମାନେ କୁନୁ ଜେନାର ମୁଖ୍ୟ ସହଯୋଗୀ ବୋଲି କୁହାଯାଉଥିବା ବେଳେ, କୁନୁକୁ ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରିବ ବୋଲି ଡିସିପି କହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଂଚି ୩୨ଟି ବୋମା ଅଚଳ କରିଛି ।