ନିର୍ବାଚନକୁ ନେଇ ରାଜନୀତି ସରଗରମ ! କଂଗ୍ରେସର ୪ଟି ପିଢି ବନାମ ମୋଦି ସରକାରଙ୍କ ୪ ବର୍ଷ ।

151

ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ମଧ୍ୟପ୍ରଦେଶରେ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଧୁଆଁଧାର ରାଲି କରିଛନ୍ତି । ଆଉ ଏହି ସମୟରେ ସେ କଂଗ୍ରେସକୁ ଦମଦାର ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି, ଯେଉଁ କାମ କଂଗ୍ରେସର ୪ଟି ପିଢି କରିପାରିନଥିଲେ, ସେହି କାମ ବିଜେପି ମାତ୍ର ୪ ବର୍ଷ ମଧ୍ୟରେ କରି ଦେଖାଇଛି । ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ମଧ୍ୟପ୍ରଦେଶ ଆଜି ଯେଉଁ ବିକାଶ ଦେଖୁଛି, ତାହା ବିଜେପି ସରକାର ହିଁ ଦେଇଛି । ଲୋକମାନଙ୍କର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ କାମର ହିସାବ ମାଗିବାର ଅଧିକାର ରହିଛି । ସେହିପରି ସେମାନେ କଂଗ୍ରେସ ୪ଟି ପିଢିରେ ଦେଶ ପାଇଁ କଣ କରିଛି ତାହାର ହିସାବ ମଧ୍ୟ ମାଗିବା ଦରକାର ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶରେ କଂଗ୍ରେସର ଶାସନକୁ ନେଇ ଆଗକୁ କହିଥିଲେ ଯେ, ପୂର୍ବରୁ ନା ଗଣମାଧ୍ୟମର ପ୍ରଚାର ପ୍ରସାର ଥିଲା ନା ହିଁ ସୋସିଆଲ ମିଡିଆର । ଯାହା ଫଳରେ କଂଗ୍ରେସ ଲୋକମାନଙ୍କୁ ମିଛ କହୁଥିଲା ଏବଂ ଲୋକମାନେ ମଧ୍ୟ ଏହାକୁ ସତ୍ୟ ବୋଲି ମାନିନେଉଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ସମସ୍ତଙ୍କ ଆଗରେ ସତ୍ୟ ରହିଛି ଯେ, କିଏ ଦେଶର ବିକାଶ କରିଛି ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆବାସ ଯୋଜନାକୁ ନେଇ କହିଛନ୍ତି, ମଧ୍ୟପ୍ରଦେଶରେ ବିଜେପି ସରକାର ଏପର୍ଯ୍ୟନ୍ତ ୧୨ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେଇଛି । ଏବଂ ଆଗକୁ ବିଜେପି ଲକ୍ଷ୍ୟ ରଖିଛି ଯେ, ଭାରତରେ ପ୍ରତିଟି ପରିବାର ପାଖରେ ନିଜର ଏକ ଘର ରହିଥିବ । ସେହିପରି ମହିଳାଙ୍କ ସୁରକ୍ଷାକୁ ନେଇ ମୋଦି କହିଛନ୍ତି, ମଧ୍ୟପ୍ରଦେଶରେ ୫ ଦିନରେ ବଳାତ୍କାରୀମାନଙ୍କୁ ଫାସୀ ଦଣ୍ଡାଦେଶ ଦିଆଯାଇଛି । ମୋଦି କହିଛନ୍ତି, ସରକାରଙ୍କୁ ସବୁବେଳେ ଗରିବ ଲୋକମାନଙ୍କ ପାଇଁ କାମ କରିବା ଆବଶ୍ୟକ । ଏହା ସହ ମୋଦି କଂଗ୍ରେସକୁ ନିର୍ମଳ ବାବାଙ୍କ ସହ ତୁଳନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେ ପ୍ରତିବର୍ଷ ତାଙ୍କ ସରକାରର ୪ ବର୍ଷର ହିସାବ ଦେଉଛନ୍ତି । କିନ୍ତୁ କଂଗ୍ରେସ ଏବେବି ଲୁହ ବୁହାଉଛି ଯେ, ଜଣେ ଚାହା ବାଲା କିପରି ଦେଶର ପ୍ରଧାନମନ୍ତ୍ରୀ ହେଲେ । ମୋଦି କହିଛନ୍ତି, ଯେପର୍ଯ୍ୟନ୍ତ ଆପଣ, ଲୋକତନ୍ତ୍ରକୁ ବୁଝିପାରିନାହାନ୍ତି, ସେତେ ପର୍ଯ୍ୟନ୍ତ ଆପଣ ଚାହା ବାଲାକୁ ଗାଳି ଦେଉଥିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣରେ କାହାର ହେଲେ ମଧ୍ୟ କିଛି ଅସୁବିଧା ହୋଇନାହିଁ । କେବଳ ଗୋଟିଏ ପରିବାରର ଆଖିରୁ ହିଁ ଲୁହ ଝରୁଛି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମଧ୍ୟପ୍ରଦେଶରେ ନିଜ ଆଡ୍ଡା ଜମାଇଛନ୍ତି । ବିଭିନ୍ନ ସ୍ଥାନ ବୁଲି ବୁଲି ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଅନେକ ରାଲି ମଧ୍ୟ କରୁଛନ୍ତି । ଆଜି ମଧ୍ୟ ସେ ବିଭିନ୍ନ ସ୍ଥାନରେ ରାଲି କରିବା ସହ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିବା ସହ ମୋଦି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଲୋକମାନଙ୍କୁ କହୁଛନ୍ତି । ଚଳିତଥର ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।