ଭାଙ୍ଗିଯିବ ବିଜେପି ଗଡ଼ ? ସର୍ଭେ ବଢ଼ାଇଲା ଚିନ୍ତା । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଗଢ଼ିପାରେ ସରକାର

66

କନକ ବ୍ୟୁରୋ : ଆସନ୍ତାବର୍ଷ ଜାନୁଆରୀ ମାସରେ ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ବିଜେପି ଶାସିତ ରାଜ୍ୟ ହେଲେ ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଆଉ ଶାସନକୁ ଆସିପାରିବ ନାହିଁ ବୋଲି କହୁଛି ସର୍ଭେ ରିପୋର୍ଟ । କଂଗ୍ରେସ ଏହି ରାଜ୍ୟଗୁଡ଼ିକୁ ଅକ୍ତିଆର କରିବ ବୋଲି କୁହାଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନର୍ବାଚନରେ ବିଜେପି ହାରିପାରେ ବୋଲି କହୁଛି ସର୍ଭେ ରିପୋର୍ଟ । ଅନ୍ୟପଟେ କଂଗ୍ରେସ ଏହି ୩ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବାର ଆଶା କରାଯାଉଛି । ଏହି ତିନି ରାଜ୍ୟରେ ଏବିପି ନ୍ୟୁଜ୍ ଓ ସିଭୋଟର ଦ୍ୱାରା ଏକ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ ଆଗାମୀ ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାର ଗଢ଼ିପାରେ । ତେବେ ଏହି ସର୍ଭେ କେତେ ଠିକ ତାହା ଆଗାମୀ ସମୟରେ ଜଣାପଡ଼ିବ । ଆଉ ଯଦି ସର୍ଭେ ରିପୋର୍ଟ ସତ ହୁଏ ତେବେ ବିଜେପିକୁ ଶକ୍ତ ଝଟକା ଲାଗିବ । ଆସନ୍ତୁ ଜାଣିବା ସର୍ଭେ ରିପୋର୍ଟ କ’ଣ କହୁଛି ।

source-http://images.newsx.com

ମଧ୍ୟପ୍ରଦେଶ – ମଧ୍ୟପ୍ରଦେଶରେ ବିଧାନସଭା ସିଟ୍ ସଂଖ୍ୟା ରହିଛି ୨୩୦ । ତେବେ ସର୍ଭେ ଅନୁସାରେ ଅନୁମାନ କରାଯାଉଛି କଂଗ୍ରେସକୁ ୧୧୭, ବିଜେପିକୁ ୧୦୬ ଓ ଅନ୍ୟ ଦଳକୁ ମିଳିବ ୭ଟି ସିଟ୍ । ମଧ୍ୟପ୍ରଦେଶରେ ମୋଦିଙ୍କୁ ୫୪ ପ୍ରତିଶତ ଲୋକ, ରାହୁଲ ଗାନ୍ଧିଙ୍କୁ ୨୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ରୂପରେ ଦେଖିବା ପାଇଁ ଚାହାନ୍ତି । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରୂପେ ଶିବରାଜ ସିଂହ ଚୌହ୍ଵାନଙ୍କୁ ୪୨ ପ୍ରତିଶତ, ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ୩୦ ପ୍ରତିଶତ ଓ କମଲନାଥଙ୍କୁ ୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ୪୬ ପ୍ରତିଶତ କଂଗ୍ରେସକୁ ୩୯ ପ୍ରତିଶତ ଓ ଅନ୍ୟକୁ ୧୫ ପ୍ରତିଶତ ଭୋଟ ମିଳବ ବୋଲି ଆକଳନ କରାଯାଉଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ୪୦ ପ୍ରତିଶତ କଂଗ୍ରେସକୁ ୪୨ ପ୍ରତିଶତ ଓ ଅନ୍ୟନ୍ୟାକୁ ୧୮ ଭୋଟ୍ ମିଳିବ ବୋଲି ଆକଳନ କରାଯାଉଛି ।

narendra modi
image courtesy-https://www.livemint.com

ଛତିଶଗଡ଼- ଛତିଶଗଡ଼ରେ ମୋଟ୍ ବିଧାନସଭା ସିଟ୍ ସଂଖ୍ୟା ୯୦ । ଏଥିମଧ୍ୟରୁ କଂଗ୍ରେସକୁ ୫୪, ବିଜେପିକୁ ୩୩ ଓ ଅନ୍ୟ ଦଳକୁ ମୋଟ୍ ୩ଟି ସିଟ୍ ମିଳିବ ବୋଲି ସର୍ଭେରେ ଅନୁମାନ କରାଯାଉଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରୂପେ ରମଣ ସିଂହଙ୍କୁ ୩୪ ପ୍ରତିଶତ,କଂଗ୍ରେସଠୁ ଅଲଗା ହୋଇଥିବା ଅଜିତ ଯୋଗୀଙ୍କୁ ୧୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ଓ ଭୂପେଶ ବଘେଲଙ୍କୁ ୯ ପ୍ରତିଶତ ଲୋକ ପସନ୍ଦ କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେବେ ଭୋଟ୍ ହିସାବରେ କଂଗ୍ରେସକୁ ୪୦ ପ୍ରତିଶତ ଓ ବିଜେପିକୁ ୩୯ ପ୍ରତିଶତ ମିଳିବା ବୋଲି ଆକଳନ କରାଯାଉଛି । ଛତିଶଗଡରେ ପ୍ରଧାନମନ୍ତ୍ରୀ ରୂପେ ମୋଦିଙ୍କୁ ୫୬ ପ୍ରତିଶତ ଓ ରାହୁଲ ଗାନ୍ଧୀଙ୍କୁ ୨୧ ପ୍ରତିଶତ ଲୋକ ପସନ୍ଦ କରୁଥିବା ଜଣାପଡ଼ିଛି । ଲୋକସଭା ନିର୍ବାଚନରେ ଛତିଶଗଡରେ ବିଜେପିକୁ ୪୬ ପ୍ରତିଶତ, କଂଗ୍ରେସକୁ ୩୬ ପ୍ରତିଶତ ଓ ଅନ୍ୟ ପାର୍ଟିକୁ ୧୮ ପ୍ରତିଶତ ଭୋଟ୍ ମିଳିବା ବୋଲି ଅନୁମାନ କରାଯାଉଛି।

ରାଜସ୍ଥାନ- ରାଜସ୍ଥାନର ମୋଟ୍ ବିଧାନସଭା ସିଟ ସଂଖ୍ୟା ହେଲା ୨୦୦ । ସେଥିମଧ୍ୟରୁ କଂଗ୍ରେସକୁ ୧୩୦, ବିଜେପିକୁ ୫୭ ଓ ଅନ୍ୟ ଦଳକୁ ୧୩ ସିଟ ମିଳିବ ବୋଲି ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ରୂପେ ଅଶୋକ ଗେହଲୋତଙ୍କୁ ୪୧ ପ୍ରତିଶତ, ବସୁନ୍ଧରା ରାଜେଙ୍କୁ ୨୪ ପ୍ରତିଶତ ଓ ସଚିନ ପାଇଲଟଙ୍କୁ ୧୮ ପ୍ରତିଶତ ଲୋକେ ପସନ୍ଦ କରୁଛନ୍ତି। ରାଜସ୍ଥାନରେ ବିଜେପିକୁ ୩୯ ପ୍ରତିଶତ, କଂଗ୍ରେସକୁ ୪୦ ପ୍ରତିଶତ ଓ ଅନ୍ୟ ଦଳକୁ ୨୧ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଉଛି । ଲୋକସଭା ନିର୍ବାଚନରେ ବିଜେପିକୁ ୪୭ ପ୍ରତିଶତ, କଂଗ୍ରେସକୁ ୪୩ ପ୍ରତିଶତ ଓ ଅନ୍ୟ ଦଳକୁ ୧୦ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ତେବେ ପ୍ରଧାନମନ୍ତ୍ରୀ ରୂପରେ ମୋଦିଙ୍କୁ ରାହୁଲଙ୍କ ଅପେକ୍ଷା ଏଠାରେ ଅଧିକ ପସନ୍ଦ କରୁଛନ୍ତି । ମୋଦିଙ୍କୁ ୫୫ ପ୍ରତିଶତ ଓ ରାହୁଲ ଗାନ୍ଧିଙ୍କୁ ୨୨ ପ୍ରତିଶତ ଲୋକେ ପ୍ରଧାନମନ୍ତ୍ରୀ ରୂପେ ପସନ୍ଦ କରୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।