୫ କିଲୋ ଚାଉଳ କାଟିଲେ, ୫୦ ଟଙ୍କା ଗ୍ୟାସ ଦର ବଢାଇଲେ । ଗରିବ ଲୋକ ଚାଉଳ ନ ରାନ୍ଧିକି କଞ୍ଚା ଖାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି କି? ବିଜେପି ଉପରେ ବର୍ଷିଲା ବିଜେଡି ।

267

କନକ ବ୍ୟୁରୋ : ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୁଣା ପ୍ରତିଶ୍ରୁତି କଥା ମନେ ପକାଇ କଟାକ୍ଷ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଗ୍ୟାସ ଦର ଏବେ ସାଧାରଣ ଲୋକଙ୍କୁ ଭାରି ବାଧୁଛି । ଗତ ୮ରୁ ୯ ବର୍ଷ ମଧ୍ୟରେ ଗ୍ୟାସ୍ ଦର ୩ ଗୁଣା ବଢିଛି । ତେଣୁ ବିଜେଡି ପ୍ରସଙ୍ଗରେ ଆଦୌ ଚୁପ୍ ରହିବ ନାହିଁ ।

ସେହିଭଳି ଚାଉଳ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ସୌମ୍ୟ । କରୋନା ସମୟରେ ମିଳୁଥିବା ଅତିରିକ୍ତ ଚାଉଳକୁ କେନ୍ଦ୍ର ବନ୍ଦ କରିଛି । ଜାନୁଆରୀ ପହିଲାରୁ ୫ କିଲୋ ଚାଉଳ କାଟିଛନ୍ତି କେନ୍ଦ୍ର ସରକାର । ଯାହା ଦର୍ଶାଉଛି ପ୍ରଧାନମନ୍ତ୍ରୀ ଚାହାନ୍ତି ନାହିଁ ଯେ ଗରିବର କଲ୍ୟାଣ ହେଉ । ପୂର୍ବରୁ ୫ କିଲୋ ଚାଉଳ କାଟିଥିଲେ, ଏବେ ବଳକା ୫ କିଲୋ ଚାଉଳକୁ ରୋଷେଇ କରିବାକୁ ଆବଶ୍ୟକ ପଡୁଥିବା ଗ୍ୟାସ ଦର ୫୦ ଟଙ୍କା ବଢାଇଦେଲେ । ପ୍ରଧାନମନ୍ତ୍ରୀ ବୋଧେ ଚାହୁଁଛନ୍ତି ଚାଉଳକୁ ନ ରାନ୍ଧିକି ଲୋକେ କଞ୍ଚା ଖାଆନ୍ତୁ । କେନ୍ଦ୍ରର ଏହି ଗରିବମାରଣ ନୀତିକୁ ବିରୋଧ କରିବାକୁ ବିଜେଡି ଆଦୌ କୁଣ୍ଠାବୋଧ କରିବ ନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

ଗ୍ୟାସ ଦର ବୃଦ୍ଧି ହେବା ଫଳରେ ଏହାର ପ୍ରଭାବ ଘରେ ଘରେ ପଡିବ । ମା’ମାନଙ୍କ ଆଖିରୁ ଲୁହ ପୋଛିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ କନ୍ଦାଉଛି । ଏହି ଦର ବୃଦ୍ଧି କାହିଁକି ଘଟିଲା, ଏହା ପଛର କାରଣ କଣ ସେ ପ୍ରସଙ୍ଗରେ ବିଜେପି ପୂରା ଚୁପ୍ । ସ୍ପର୍ଶକାତର ପ୍ରସଙ୍ଗରେ ଉତ୍ତର ଦେବାକୁ ସାହସ ନଥିଲେ ବିଜେପି ଏମିତି ଚୁପ୍ ରୁହେ । ଯେଉଁ ପ୍ରସଙ୍ଗ ବିଜେପିକୁ ଅଡୁଆରେ ପକାଏ ତାହାକୁ ବାଆଁରେଇ ଦେଇ ଖସିଯିବାକୁ ଚେଷ୍ଟା କରେ ବିଜେପି । ବେରୋଜଗାରୀ ପ୍ରସଙ୍ଗରେ ବିଜେଡି ସବୁବେଳେ ସ୍ୱର ଉଠାଇ ଆସୁଛି । ଆଞ୍ଚଳିକ ଦଳ ଭାବେ ଏହା ଆମର ଦାୟିତ୍ୱ । ବିଜେଡି ଓଡ଼ିଶାବାସୀଙ୍କ ପାଇଁ ସବୁବେଳେ ଆନ୍ଦୋଳନ କରି ଆସିଛି । ବିଜେଡି ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ବିଜେଡି ଯାହା କୁହେ ତାହା ଠାରୁ ଅଧିକ କରେ । କିନ୍ତୁ ବିଜେପି କହିଥିଲା କଣ ଓ କରୁଛି କଣ ସେ ବାବଦରେ ତର୍ଜମା କରିବାର ଆବଶ୍ୟକତା ନାହିଁ ବରଂ ଲୋକେ ଅଙ୍ଗେ ନିଭାଉଛନ୍ତି ।