ଆଦାନୀ-ହିଣ୍ଡେନବର୍ଗ ବିବାଦ : ସୁପ୍ରିମକୋର୍ଟ ପ୍ରସ୍ତୁତ କଲା ଯାଂଚ କମିଟି, ସେବିକୁ ମାଗିଲା ରିପୋର୍ଟ

99

କନକ ବ୍ୟୁରୋ : ଆଦାନୀ ଗ୍ରୁପ ଉପରେ ଆମେରିକାର ସର୍ଟ ସେଲର କମ୍ପାନୀ ଜାରି କରିଥିବା ରିପୋର୍ଟକୁ ନେଇ ସାରା ଭାରତରେ ବିବାଦ ଦେଖାଦେଇଛି । ଏହି ରିପୋର୍ଟ ଉପରେ ସୁପ୍ରିମକୋର୍ଟ ଯାଂଚ କରୁବୋଲି ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଏହାସହ ରିପୋର୍ଟ ଉପରେ ଯାଂଚ କରିବାକୁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ଅଧ୍ୟକ୍ଷତା କରୁଥିବା ବେଳେ ବ୍ୟାଙ୍କର କେ.ପି କାମତ, ଓ.ପି ଭଟ୍ଟଙ୍କ ସହ ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣୀ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦେବଘର, ବ୍ୟବସାୟୀକ ଆଇନ ବିଶେଷଜ୍ଞ ଓକିଲ ସୋମଶେଖରନ ସୁନ୍ଦରେସନ ସାମିଲ ଅଛନ୍ତି ।

ସଂପୃକ୍ତ ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି କି ବଜାର ନିୟାମକ (ସେବି)କୁ ୨ମାସ ମଧ୍ୟରେ ଏହି ମାମଲାର ଯାଂଚ ରିପୋର୍ଟ ଦାଖଲ କରିବା ଆବଶ୍ୟକ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପରିଦୱାଲଙ୍କ ବେଞ୍ଚର ନିଷ୍ପତ୍ତି ମୁ୍ତାବକ ଏକ୍ସପର୍ଟ କମିଟି ନିଜର ରିପୋର୍ଟକୁ ବନ୍ଦ ଲଫାପାରେ ନ୍ୟାୟଳୟରେ ଜମା କରିବେ । ଏହି କମିଟି ଆଦାନୀ ଗ୍ରୁପ ସହିତ ଜଡିତ ବିବାଦର ଯାଂଚ ସହ ସାମ୍ବିଧାନିକ ଫ୍ରେମୱାର୍କ ମଜବୁତ କରିବା ଉପରେ ପରାମର୍ଶ ମଧ୍ୟ ଦେବେ ।

ସେପଟେ ନିବେଶକଙ୍କ ସୁରକ୍ଷା ପାଇଁ ନିୟାମକ ତନ୍ତ୍ର ପାଇଁ ଦାବି କରି ହୋଇଥିବା ଆବେଦନର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟ କରୁଛନ୍ତି । ଏହି ଆବେଦନ ଉପରେ କୋର୍ଟ ସେବିକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ନିୟମର ଉଲଙ୍ଘନ ହୋଇଛି କି ନାହିଁ ଓ ଷ୍ଟକ ଦାମରେ ହେରଫେର ବାବଦରେ ସୂଚନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।