ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ! ଉଦଘାଟନୀ ଉତ୍ସବରେ ନାଚିବେ ୪୦୦ ଶିଳ୍ପୀ

42

କନକ ବ୍ୟୁରୋ: ମିନି ବିଶ୍ୱ ଦେଖିବ କଳିଙ୍ଗର ଗୌରବାବହ ଇତିହାସ । ପାଇକ ପୁଅର ବୀରତ୍ୱ ଗାଥାଠୁ ନେଇ କଳିଙ୍ଗ ଯୁଦ୍ଧର ବିଭୀଷିକା ଯାଏଁ । ବାରଶହ ବଢ଼େଇ ହାତରେ ଗଢ଼ା କୋଣାର୍କର ବିସ୍ମିତ ଇତିବୃତ୍ତଠୁ ନେଇ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିବା ଅଶୋକଙ୍କ ଅବିସ୍ମୃତ କାହାଣୀ । ତାଳ ଓ ଛନ୍ଦରେ ଏସବୁର ଝଲକ ବାଢ଼ିଦେବେ ଓଡ଼ିଶାର ନୃତ୍ୟଶିଳ୍ପୀ । ଜୁଲାଇ ୫ ତାରିଖରୁ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପର ଉଦଘାଟନୀ ସନ୍ଧ୍ୟାରେ ୪୫ ଦେଶର ୮୧୫ କ୍ରୀଡ଼ାବିତଙ୍କ ସମେତ ହଜାର ହଜାର ବିଦେଶୀ ପର୍ୟ୍ୟଟକଙ୍କୁ ତଲ୍ଲିନ କରିବ।

ଓଡ଼ିଶୀ ଗବେଷଣା କେନ୍ଦ୍ରର ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର ନୃତ୍ୟରେ ୪୦୦ କଳାକାରଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । ଓଡ଼ିଶା ଡ୍ୟାନ୍ସ ଏକାଡେମିର ମୁଖ୍ୟ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି ଏହାର ନୃତ୍ୟ ନିର୍ଦେଶନା ଦେଉଛନ୍ତି। ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ କଣ୍ଠ ଦାନ କରିଛନ୍ତି। ୮୦ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟରେ କାହାଣୀକୁ ବୟାନ କରିବେ। ଏଥିସହିତ ମୟୂରଭଂଜ, ରାଇରଙ୍ଗପୁର, ବାରିପଦା ଓ ମୟୂର ଆର୍ଟ ସେଣ୍ଟରର ଛଉ ଶିଳ୍ପୀଙ୍କ ଛଉ ନୃତ୍ୟ ମଧ୍ୟ ଏହା ମଧ୍ୟରେ ଦେଖିବାକୁ ମିଳିବ। ବିଶେଷ ଆକର୍ଷଣ ସାଜିବ ନୃତ୍ୟର ମଧ୍ୟଭାଗରେ ‘ସମର କଳା’। ଏଥିପାଇଁ ବାଙ୍ଗାଲୋର ଓ ଓଡ଼ିଶାର ସମର କଳା ଦଳ ମଧ୍ୟ ସାମିଲ୍ ଅଛନ୍ତି।

ସେହିଭଳି ଗୋଟିପୁଅ ଓ ପୁରୀର ମାହାରୀ ନୃତ୍ୟର ଝଲକ ବି ଦେଖିବାକୁ ମିଳିବ। ମୁଖ୍ୟତଃ ବନ୍ଧ ନୃତ୍ୟରେ ଗୋଟିପୁଅ ଶିଳ୍ପୀଙ୍କ କଳା ଚାତୁରୀ ବେଶ୍ ମନୋହର ହେବ। କଳିଙ୍ଗ ଯୁଦ୍ଧ ଓ କୋଣାର୍କର ଗାରିମା ସହ ଶୁଦ୍ଧ ଓଡ଼ିଶୀରେ ବିଦେଶୀ ଓ ସ୍ଥାନୀୟ ଦର୍ଶକଙ୍କୁ ନିଆରା ଅନୁଭବ ମିଳିବ ବୋଲି ନୃତ୍ୟ ସଂଯୋଜକ ଅରୁଣା ମହାନ୍ତି କହିଛନ୍ତି। ଏଥିପାଇଁ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଗତ ୧୬ ତାରିଖରୁ ଶିଳ୍ପୀମାନେ ଅଭ୍ୟାସ ଜାରି ରଖିଛନ୍ତି। ଦିନ ୨ଟାରୁ ରାତି ୮ଟା ପର୍ୟ୍ୟନ୍ତ ଶିଳ୍ପୀମାନେ ଅଭ୍ୟାସ କରୁଛନ୍ତି। ଶେଷ ୩ ଦିନ କଳିଙ୍ଗ ଷ୍ଟାଡିୟମରେ ଚୂଡ଼ାନ୍ତ ଅଭ୍ୟାସ କରାଯିବ।

ଆଗରୁ ଏହି ନୃତ୍ୟର ସମୟସୀମା ୪୫ ମିନିଟ୍ ନିର୍ଦ୍ଧାରିତ ହୋଇଥିବା ବେଳେ ଏବେ ଏହାର ସମୟସୀମା ବଦଳିବାର ସମ୍ଭାବନା ରହିଛି। ଏଥିସହିତ ଉଦଘାଟନୀ ଅବସରରେ ମୁମ୍ବାଇରୁ ଶଙ୍କର ମହାଦେବନ ଓ ତାଙ୍କ ଟିମ୍ ସଂଗୀତ ପରିବେଷଣ କରିବେ। ଏହି ଅବସରରେ ଓଡ଼ିଆ ଗୀତ ବି ଶୁଣିବାକୁ ମିଳିବ ବୋଲି ସଂସ୍କୃତି ବିବାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ସଂସ୍କୃତି ବିଭାଗ ଓଡ଼ିଶାର କଳା ଗାରିମାକୁ ଏକ ମିନି ବିଶ୍ୱ ଆଗରେ ଉପସ୍ଥାପନ କରିବା ପାଇଁ ସୁଯୋଗ ପାଇଥିବା ବେଳେ ଓଡ଼ିଶାର ନୃତ୍ୟଶିଳ୍ପୀଙ୍କ ପରିଶ୍ରମ ନିଶ୍ଚିତ ସାକାର ରୂପ ନେବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ କହିଛନ୍ତି।