ଆପୋଲୋ ହସପିଟାଲ କହିଲା ସଫଳ ପ୍ରତିରୋପଣ କାହାଣୀ। ୫ ବର୍ଷର ବ୍ରେନ ଡେଡ୍ କୁନିପିଲା ସୁଧାଂଶୁଙ୍କ ଦୁଇ କିଡନୀ ବଞ୍ଚାଇଛି ଦୁଇ ଜୀବନ।

110

କନକ ବ୍ୟୁରୋ: ପ୍ରୀତମ ସ୍ୱାଇଁ, ବୟସ ୨୯ । ଉର୍ମିଳା ପଣ୍ଡା, ବୟସ ୫୫ ବର୍ଷ । ଉଭୟଙ୍କ ମଧ୍ୟରେ ଏକ ମାନବୀୟ ସମ୍ପର୍କ ରହିଛି । କାରଣ ୫ ବର୍ଷର ବାଳକ ସୁଧାଂଶୁ ଲେଙ୍କା ଏ ଦୁହିଁଙ୍କୁ ଦେଇଛି ନୂଆ ଜୀବନ । ଉଭୟଙ୍କ ଠାରେ ଲାଗିଛି ମୃତ ସୁଧାଂଶୁଙ୍କ ଗୋଟିଏ ଲେଖାଏଁ କିଡନୀ । ଆପୋଲୋ ହସ୍ପିଟାଲରେ ଶିଶୁର ସିଙ୍ଗଲ ୟୁନିଟ କିଡନୀ ଏହି ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ ସଫଳ ହୋଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ମୃତ୍ୟୁ ପରେ ଜଣେ ୫ବର୍ଷ ବା ତା’ଠାରୁ କମ୍ ବୟସର ବାଳକର କିଡିନୀକୁ ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି ।

୨୦୧୦ରେ ଡାକ୍ତରୀ ଚେକ୍ ପରେ ଜଣାପଡ଼ିଥିଲା ଯେ, ପ୍ରୀତମଙ୍କ କିଡନୀ ନଷ୍ଟ ହୋଇଯାଇଛି । ସେତେବେଳଙ୍କୁ ତାଙ୍କୁ ହୋଇଥିଲା ମାତ୍ର ୧୯ ବର୍ଷ । କିଡନୀ ନଷ୍ଟ ହୋଇଯାଇଥିବାରୁ ପ୍ରୀତମଙ୍କୁ ଦୈନିକ ୫ ଘଂଟା କରି ସପ୍ତାହକୂ ୩ ଥର ଡାଏଲିସିସ୍ କରିବାକୁ ପଡ଼ୁଥିଲା । ଏପରିକି ବାପା-ମଆ ନିଜ କିଡନୀ କିଡନୀ ପୁଅ ପାଖରେ ଲଗାଇବାକୁ ମଧ୍ୟ ଚାହିଥିଲେ । ହେଲେ ସେମାନଙ୍କ କିଡନୀ ପ୍ରୀତମଙ୍କ ସହ ମ୍ୟାଚ୍ କରିନଥିଲା । ୨୦୧୮ରେ ପୀତମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଆପୋଲୋର ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ପରିବାର । ଆଉ ଡାକ୍ତରଙ୍କ ପରାମର୍ଶ ପରେ କାଡାଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ କେବେ କିଡନୀ ମିଳିବ, ଆଉ ପ୍ରୀତମ ପୁଣି ନୂଆ ଜୀବନ ପାଇବେ, ଏଥିପାଇଁ ପରିବାର ଲୋକ କେବଳ ଅପେକ୍ଷା ହିଁ କରିଚାଲିଥିଲେ ।

ହେଲେ ଏ କେବଳ ପ୍ରୀତମଙ୍କ କାହାଣୀ ନୁହେଁ । ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ସାମ୍ନାରେ ଦୀପ ଦାନ କରୁଥିବା ବ୍ୟକ୍ତିମାନେ ବି କିଡନୀ ପାଇଁ ଅପେକ୍ଷା କରି ରହିଛନ୍ତି । ବର୍ଷ ପରେ ବର୍ଷ ବିତୁଛି, ହେଲେ କିଡନୀ ପାଇବାକୁ ଯୋଗ୍ୟ ତାଲିକାରେ ଆସୁନାହିଁ ଏମାନଙ୍କ ନାଁ । କେତେବେଳେ ମେଡିକାଲ ବାରଣ୍ଡାରେ ତ କେତେବେଳେ ରାଜରାସ୍ତାରେ ଛିଡ଼ା ହୋଇ ବଞ୍ଚିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରୀ । କିଡନୀ ରୋଗୀଙ୍କ ପାଇଁ ନିମ୍ନମାନର ନୁହଁ, ବରଂ ଭଲ ଔଷଧ ଯୋଗାଇଦେବାକୁ କରୁଛନ୍ତି ନିବେଦନ ।