ଏ କି ନ୍ୟାୟ, ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ୱାମୀକୁ ଦ୍ୱିତୀୟ ବିବାହ କରାଇଲା ପୁଲିସ। କଳାହାଣ୍ଡି ବୋରଡା ଫାଣ୍ଡିରେ ବାହାଘର କରାଇଛି ପୁଲିସ। 

117

କନକ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲା ବୋରଡା ଫାଣ୍ଡି ଭିତରର ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ଓ ଆଉ ଜଣେ ଯୁବତୀଙ୍କୁ ଫାଣ୍ଡି ଭିତରେ ବିବାହ କରାଉଛନ୍ତି ଫାଣ୍ଡି ଅଧିକାରୀ । ଏପରିକି ସତ୍ୟପାଠ କରାଇଲା ଭଳି ଯୁବକଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିବାକୁ ଯୁବତୀଙ୍କୁ ପୋଲିସ କହୁଥିବା ଶୁଣାଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବକଙ୍କ ପ୍ରଥମ ପତ୍ନୀ ଶ୍ରଦ୍ଧାଞ୍ଜଳିଙ୍କ ମା । କହିଛନ୍ତି, ପ୍ରଥମ ସ୍ତ୍ରୀ ଥିବା ସତ୍ତେ୍ୱ ଫାଣ୍ଡିରେ ପୁଲିସ ଦ୍ୱିତୀୟ ବିବାହ କରାଇଛି । ତାଙ୍କ ଝିଅକୁ ନ୍ୟାୟ ଦେବ କିଏ? ପୁଲିସର ଏପରି କାର୍ଯ୍ୟକୁ ନେଇ ଶ୍ରଦ୍ଧାଞ୍ଜଳିଙ୍କ ମାଆ ଏବେ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।

ସନ୍ତୋଷ ୫ବର୍ଷ ତଳେ ଶ୍ରଦ୍ଧାଞ୍ଜଳିକୁ ବିବାହ କରିଥିଲେ । ଘରେ ତାଙ୍କର ଏକ ଛୁଆ ଥିବା ବେଳେ ଶ୍ରଦ୍ଧାଞଳି ଏବେ ପୁଣି ଗର୍ଭବତୀ ମଧ୍ୟ ଅଛନ୍ତି । ଏହାରି ଭିତରେ ଅନ୍ୟ ଜାତିର ଜଣେ ବିବାହିତ ମହିଳାଙ୍କୁ ଧରି ଫେରାର ହୋଇଯାଇଥିଲେ ସନ୍ତୋଷ ପାଣିଗ୍ରାହୀ । ଏନେଇ ଶ୍ରଦ୍ଧାଞ୍ଜଳି ବୋରଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ପୁଲିସ ଏତଲା ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଥିଲା । ଏହା ଭିତରେ ଶ୍ରଦ୍ଧାଞ୍ଜଳିଙ୍କ ପରିବାର ଲୋକ ଖୋଜାଖୋଜା କରି ସନ୍ତୋଷ ଓ ତାର ପ୍ରେମିକାକୁ କଂଟାବାଞ୍ଝିରୁ ଧରିଆଣି ବୋରଡା ଫାଣ୍ଡି ପୁଲିସ ପାଖରେ ଜିମା ଦେଇଥିଲେ । ହେଲେ ଫାଣ୍ଡି ଅଧିକାରୀ ତମ କଥା ବୁଝିବା କହି ଶ୍ରଦ୍ଧାଞ୍ଜଳିଙ୍କ ପରିବାର ବର୍ଗଙ୍କୁ ଘରକୁ ପଠାଇ ଦେଇଥିଲେ । ଏହାପରେ ଫାଣ୍ଡି ଭିତରେ ସନ୍ତୋଷଙ୍କୁ ପୁଲିସ ଦ୍ୱିତୀୟ ବିବାହ କରାଇଛି ।

ହିନ୍ଦୁ ବିବାହ ଆଇନ ଅନୁସାରେ ପ୍ରଥମ ସ୍ତ୍ରୀ ଥିଲେ, ବିନା ବିବାହ ବିଚ୍ଛେଦରେ ସ୍ୱାମୀ ଦ୍ୱିତୀୟ ବିବାହ କରିପାରିବ ନାହିଁ । ହେଲେ ଫାଣ୍ଡି ଭିତରେ ପୁଲିସ ବାବୁ ନିଜେ ସନ୍ତୋଷଙ୍କୁ କେମିତି ଦ୍ୱିତୀୟ ବିବାହ କରାଇଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।