ଇଡି ପରେ ଟିଏମସି ଉପରେ ସିବିଆଇର ମାଡ : ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ବାନ୍ଧିଲା ସିବିଆଇ

233

କନକ ବ୍ୟୁରୋ : ଇଡି ପରେ ସିବିଆଇ । ପଶ୍ଚିବଙ୍ଗରେ ସକ୍ରିୟ ହୋଇଛି ସିବିଆଇ । ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମସି ନେତା ସିବିଆଇ ପଞ୍ଝାରେ । ବହୁ ଛକପଞ୍ଝା ଭିତରେ ପଶ୍ଚିମବଙ୍ଗର ପୂର୍ବତନ ବାହୁବଳୀ ନେତା ତଥା ବୀରଭୂମି ଷ୍ଟ୍ରଙ୍ଗ ମ୍ୟାନ୍ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗୋଚାଲାଣ ଅଭିଯୋଗରେ ତାଙ୍କୁ ଆରେଷ୍ଟ କରାଯାଇଛି । ଆତ୍ମଗୋପନ କରିଥିବା ଅନୁବ୍ରତ ସବିିଆଇକୁ ସହଯୋଗ କରିନଥିଲେ ।

ପୂର୍ବରୁ ଜେରା ପାଇଁ ସିବିଆଇ ସମନ କରିଥିଲେ ବି ଅନୁବ୍ରତ ହାଜର ହୋଇନଥିଲେ । ସହଯୋଗ ନକରିବାରୁ ତାଙ୍କୁ ବୀରଭୂମିରୁ ଗିରଫ କରାଯାଇଛି । ଭାରତ-ବାଂଲାଦେଶ ସୀମା ଦେଇ ଚାଲିଥିଲା ଗୋ ଚାଲାଣ । ଏହି ର୍ୟାକେଟ ଧରାପଡ଼ିବା ପରେ ବହୁ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇ ଜେରା ହୋଇଥିଲା । ଆଉ ଅନୁବ୍ରତଙ୍କ ନାଁ ପଦାକୁ ଆସିଥିଲା । ସେପଟେ ମଣ୍ଡଳଙ୍କ ଗିଫଦାରୀ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଗୋଟିଏ ପରେ ଗୋଟିଏ ଘୋଟାଲା ପଦାକୁ ଆସୁଥିବା ବେଳେ ଇଡ଼ି ପରେ ପରେ ଏବେ ସିବିଆଇର ଆକ୍ସନ । ପ୍ରଥମେ ଶିକ୍ଷକ ନିଯୁକ୍ତିରେ ଘୋଟାଲା ନେଇ ପୂର୍ବତନ ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଜେରା ଓ ପରେ ଗିରଫ କରାଯାଇଥିଲା । ତଦନ୍ତ ସହ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା ପାର୍ଥ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କର । ଉଭୟ ଜାମିନ୍ ଆବେଦନ କରିଥିବା ବେଳେ ଜାମିନ୍ ଆବେଦନ ସେମାନଙ୍କର ଖାରଜ ହୋଇଯାଇଥିଲା । ତା ସହିତ ସେ ଜେଲରେ ଥିବା ବେଳେ ତାଙ୍କୁ ମନ୍ତ୍ରୀ ପଦରୁ ମଧ୍ୟ ବରଖସ୍ତ କରିଦିଆଯାଇଥିଲା । କୋଟି କୋଟି ଟଙ୍କା ଘୋଟାଲା ସମ୍ପୃକ୍ତି ନେଇ ଏବେ ବିଭାଗୀୟ ହାଜତରେ ପାର୍ଥ ଚାଟାର୍ଜୀ ।