ଗାଙ୍ଗୁଲି ଧରିବେ ଦଳର ମଙ୍ଗ, ବିଶ୍ୱ ଏକାଦଶକୁ ଭେଟିବ ଭାରତୀୟ ଦଳ । ଜାଣନ୍ତୁ କେବେ ହେବ ମ୍ୟାଚ୍?

422

କନକ ବ୍ୟୁରୋ : ମୈଦାନକୁ କମବ୍ୟାକ୍ କରିବେ ବେଙ୍ଗଲ ଟାଇଗର । ପୁଣିଥରେ ଦାଦା ଧରିବେ ଦଳର ମଙ୍ଗ । ଲମ୍ବା ଲମ୍ବା ଛକା ମାରି ପୁଣିଥରେ ଜିଣିବେ ଦର୍ଶକଙ୍କ ମନ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରିବ । ଆଉ ଏହି ସମୟରେ ଏକ ବଡ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଯେଉଁଥିରେ ପୂର୍ବତନ ଭାରତୀୟ ଖେଳାଳୀଙ୍କ ଟିମ୍ ସହ ବିଶ୍ୱର ବଛା ବଛା ଖେଳାଳୀଙ୍କୁ ନେଇ ଗଠିତ ଟିମର ମୁକାବିଲା ହେବ । ଆଉ ଭାରତୀୟ ଟିମର ମଙ୍ଗ ଧରିବେ ଖୋଦ୍ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

ଆଜାଦୀ କି ଅମୃତ ମହୋତ୍ସବ ଉପଲକ୍ଷେ ଏହି ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୫ରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏହା ଏକ ପ୍ରଦର୍ଶନୀ ମ୍ୟାଚ୍, ଯାହା ପୂର୍ବତନ ଖେଳାଳୀଙ୍କୁ ନେଇ ଖେଳାଯିବ । ଇଣ୍ଡିଆ ମହାରାଜାର ନେତୃତ୍ୱ ସୌରଭ ଗାଙ୍ଗୁଲିଙ୍କ ହାତରେ ରହିଥିବା ବେଳେ ୱାର୍ଲ୍ଡ ଜାଏଣ୍ଟସର ମଙ୍ଗ ଧରିବେ ଇଅନ ମୋର୍ଗାନ ।

ଇଣ୍ଡିଆ ମହାରାଜା ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କ ସମେତ ବୀରେନ୍ଦ୍ର ସେହୱାଗ, ମହମ୍ମଦ କୈଫ, ୟୁସୁଫ ପଠାନ, ଇରଫାନ ପଠାନ, ପାର୍ଥିବ ପଟେଲ, ହରଭଜନ ସିଂ, ପ୍ରଜ୍ଞାନ ଓଝା, ଶ୍ରୀସନ୍ଥଙ୍କ ଭଳି ଷ୍ଟାର କ୍ରିକେଟର ମୈଦାନକୁ ଓହ୍ଲାଇବେ । ସେହିଭଳି ୱାର୍ଲ୍ଡ ଜାଏଣ୍ଟସ ପକ୍ଷରୁ ଇଅନ ମୋର୍ଗାନଙ୍କ ସମେତ ସିମନ୍ସ, ଗିବ୍ସ, କାଲିସ, ଜୟସୂରିୟା,ଜଣ୍ଟି ରୋଡସ, ମୁରଲୀଧରନ, ଷ୍ଟେନ, ମିଚେଲ ଜନସନ, ବ୍ରେଟ ଲିଙ୍କ ଭଳି ଖେଳାଳୀଙ୍କୁ ପୁଣିଥରେ ପଡିଆରେ ଦେଖିବାକୁ ମିଳିବ ।

ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ଉତ୍ସବ ପାଳନ କରୁଛି । ତେଣୁ ଏହି ମ୍ୟାଚକୁ ଆଜାଦୀ କି ଅମୃତ ମହୋତ୍ସବକୁ ସମର୍ପିତ କରାଯାଇଛି । ଏହି ସ୍ୱତନ୍ତ୍ର ମ୍ୟାଚ ପରେ ଲିଜେଣ୍ଡସ ଲିଗ୍ ଆରମ୍ଭ ହେବ । ୧୬ ସେପ୍ଟେମ୍ବରରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ୨୨ ଦିନ ଧରି ଚାଲିବ । ଖୁବଶୀଘ୍ର ଟିମ୍ ଘୋଷଣା କରାଯିବ ।