ପିଏମ ଆବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦକୁ ସମାଲୋଚନା କଲା କଂଗ୍ରେସ

199

କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ କଂଗ୍ରେସ ନେତା ସୁଦର୍ଶନ ସାହୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ଲେଖିକି ଆଣିଲେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅଧିକାର ନାହିଁ ବୋଲି କହିଛି କଂଗ୍ରେସ । ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ଅବମାନନା ବୋଲି କହିଛି କଂଗ୍ରେସ ।

ଏହି ଯୋଜନାକୁ ନେଇ ଗତ ୨ ବର୍ଷ ହେଲା ରାଜ୍ୟ ଓ କେନ୍ଦ୍ର ଭିତରେ କଳି ଲାଗି ରହିଥିବା ବେଳେ ଓଡ଼ିଶାର ପ୍ରାୟ ୨୦ ଲକ୍ଷ ପରିବାର ଏହି ଯୋଜନାରୁ ବଞ୍ଚିତ ଥିବା କହିଛି କଂଗ୍ରେସ । ୧୨ ଲକ୍ଷ ୨୫ ହଜାର ପରିବାର ଆବାସ ପାଇବା ପାଇଁ ଅପେକ୍ଷାରେ ଥିବା ନେଇ ବିଧାନସଭାରେ ମନ୍ତ୍ରୀ ଉତର ରଖିଥିଲେ । ପୂର୍ବରୁ ଦେଶରେ ଗରିବ ଲୋକଙ୍କୁ ପକା ଘର ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଆବାସ ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ଓଡ଼ିଶା ଲୋକଙ୍କ ପାଖରେ ଶ୍ୱେତ ପତ୍ର ରଖନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱଚ୍ଛତା ନଥିବା କଥା କହି ଏକ ବିବାଦ ଛିଡ଼ା କରିଛନ୍ତି କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ । ଦୁର୍ନୀତି ଓ ପାରଦର୍ଶୀତା ସହ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇନଥିବାରୁ ଅନେକ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଭାବେ ପଦକ୍ଷେପ ନେଲେ ରାଜ୍ୟର ସମସ୍ତ ହିତାଧିକାରୀଙ୍କ ମୁଣ୍ଡ ଉପରକୁ ଛାତ ମିଳିପାରିବ ବୋଲି କହିଛନ୍ତି ଗିରିରାଜ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ଦାବି ନେଇ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ପଞ୍ଚାୟତରାଜି ମନ୍ତ୍ରୀ ପ୍ରଦୀପ ଅମାତ ଭେଟିବା ପରେ ରାଜ୍ୟ ସରକାରଙ୍କ ଉପରେ ଏପରି ପ୍ରଶ୍ନ ଉଠାଇଛନ୍ତି ଗିରିରାଜ । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଧିକ ୮ ଲକ୍ଷ ଘର ମିଳିବା ନେଇ ଆଲୋଚନା ହୋଇଛି । ସେପଟେ ପ୍ରଦୀପ ଅମାତ ମଧ୍ୟ ସ୍ୱଚ୍ଛତା କଥା କହି ମୁଖ୍ୟମନ୍ତ୍ରୀ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ଏହି ପ୍ରସଙ୍ଗରେ ଆବାସ ପ୍ଲସ ପୋର୍ଟାଲ ଖୋଲିବା ନେଇ ଗିରିରାଜଙ୍କୁ ଭେଟି ଦାବିପତ୍ର ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟସଭାରେ ବିଜେଡି ସାଂସଦ ମମତା ମହନ୍ତ ମଧ୍ୟ ସମାନ କଥା ଉଠାଇଥିଲେ । ୨୦୧୮ରେ ଘୋଷଣା ହୋଇଥିବା ଏହି ଯୋଜନାରେ ୨୦୨୩ ସୁଦ୍ଧା ଦେଶର ସମସ୍ତ ଗରିବଙ୍କ ମୁଣ୍ଡ ଉପରକୁ ଛାତ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ । ବୈଠକ ପରେ ଧର୍ମେନ୍ଦ୍ର କହିଛନ୍ତି, କାମ କିଭଳି ତ୍ୱରିତ ହେବ, ପାରଦର୍ଶିତ ରହିବ ସେ ଦିଗରେ ଧ୍ୟାନ ଦିଆଯିବା ଦରକାର ।