ପୁରୀରେ ଅଛି ଆଉ ଦୁଇ ‘କୋଣାର୍କ’ ମନ୍ଦିର: ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦ୍ଵିତୀୟ କୋଣାର୍କ ପରିକଳ୍ପନାକୁ ନେଇ ଜୋର୍ ଧରିଲା ଚର୍ଚ୍ଚା

90

କନକ ବ୍ୟୁରୋ: ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦ୍ଵିତୀୟ କୋଣାର୍କ ପରିକଳ୍ପନାକୁ ନେଇ ରାଜ୍ୟତମାମ ଚର୍ଚ୍ଚା ଜୋର୍ଧରିଛି ଜଣେ ଆଗଧାଡିର ପ୍ରସ୍ତର ଶିଳ୍ପୀ ଭାବେ ଦେଶ ବିଦେଶରେ ନାଁ କମାଇଥିବା ଶ୍ରୀ ମହାପାତ୍ର ଦ୍ଵିତୀୟ କୋଣାର୍କ ଗଢ଼ି ତୋଳିବାକୁ ସଂକଳ୍ପ ନେଇଥିବା ଏଥିପାଇଁ ୧୦୦ ଏକର ଜାଗା କିଣିଥିବା କହି ଆସୁଛନ୍ତି ବିଶେଷ କରି ରାଜ୍ୟସଭା ସାଂସଦ ହେବା ପରେ ଶ୍ରୀ ମହାପାତ୍ର ଏହି କଥାକୁ ଗଣମାଧ୍ୟମରେ ଆଉ ଥରେ ଦୋହରାଇଛନ୍ତି ଶ୍ରୀ ମହାପାତ୍ରଙ୍କ ପ୍ରକାର ପରିକଳ୍ପନାକୁ ନେଇ ତାଙ୍କୁ କେତେକ ମହଲରେ ସମାଲୋଚନା ବିରୋଧ ମଧ୍ୟ କରାଯାଉଛି ତେବେ ପୁରୀ ଜିଲ୍ଲାରେ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର ପ୍ରତିବିମ୍ବ ବହନ କରୁଥିବା ଏବଂ ଅବିକଳ କୋଣାର୍କ ଭଳି ଲାଗୁଥିବା ଏକାଧିକ ମନ୍ଦିର ଏବେ ବି ରହିଛି ଏହି ମନ୍ଦିର ଦେଖିଲେ ଏହା ଯେ ମିନିକୋଣାର୍କ ତାହା ଜଳଜଳ ସ୍ପଷ୍ଟ କୋଣାର୍କ ମନ୍ଦିରର ସମସାମୟିକ କିମ୍ବା ତା ବହୁ ପୂର୍ବରୁ ଏହି ମନ୍ଦିର ନିର୍ମାଣ ହୋଇଥିବା ସୂଚନା ମିଳୁଛି ଜନ ଆଢୁଆଳରେ ରହିଥିବା ଏହି ଦୁଇ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଭୁଶୁଡିବା ଅବସ୍ଥାକୁ ଆସିଛି

ପ୍ରକାଶଥାଉକି, ଏହି ଦୁଇ ମନ୍ଦିର ଏବେ ବି ଓଡ଼ିଶାର ଐତିହ୍ୟ, କଳାଭାସ୍କର୍ଯ୍ୟକୁ ପ୍ରତିଫଳିତ କରୁଛି। ଏହାର ଯେ କୌଣସି ବିକଳ୍ପ ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ସୂଚାଇ ଦେଉଛି। ଏଭଳି ପରିସ୍ଥିତିରେ ଦ୍ଵିତୀୟ କୋଣାର୍କ ନିର୍ମାଣ ଏକ ଉଦ୍ଭଟ ପରିକଳ୍ପନା ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ଶ୍ରୀ ମହାପାତ୍ର ଯଦି କେବେ କୋଣାର୍କ (ସୂର୍ଯ୍ୟ) ମନ୍ଦିର ନିର୍ମାଣ କରନ୍ତି ଏହା ଦ୍ଵିତୀୟ ନୁହେଁ, ବରଂ ଚତୁର୍ଥ ହେବ ବୋଲି କୁହାଯାଉଛି

ପୁରୀ ଜିଲ୍ଲାରେ ଦୁଇଟି ମିନି କୋଣାର୍କ ରହିଛି। କୋଣାର୍କ ମନ୍ଦିରର ପରିପାଟୀ, ନିର୍ମାଣ ଶୈଳୀ, ମୁଖଶାଳା, ମୁଖ୍ୟମନ୍ଦିର, କାରୁକାର୍ଯ୍ୟ, ମୁଖଶାଳା, ପ୍ରାଚୀନ କଥାବସ୍ତୁ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠାରେ ଅନନ୍ୟ କାରୁକାର୍ଯ୍ୟମାନ ଖୋଦିତ ହୋଇଛି। ପ୍ରତିଟି ପ୍ରସ୍ତରରେ ସବୁ କାରୁକାର୍ଯ୍ୟ ଅତି ନିଖୁଣ ଭାବେ ଚିତ୍ରିତ ହୋଇଛି। ଜିଲ୍ଲାର ଗୋପ ବ୍ଲକ୍ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ବୟାଳିଶବାଟି ପୁରୀ ସଦର ବ୍ଲକ୍ ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତର ଆରଳ ଗ୍ରାମରେ ଏହି ଦୁଇଟି ପ୍ରାଚୀନ ମନ୍ଦିର କୋଣାର୍କର ଅବିକଳ ଚିତ୍ରକୁ ପ୍ରତିଫଳିତ କରୁଛି। କାହିଁ କେଉଁ କାଳରୁ ଗୋପର ବୟାଳିଶିବାଟି ମନ୍ଦିରରେ ମା ଗଙ୍ଗେଶ୍ୱରୀ ପୂଜା ପାଉଥିବା ବେଳେ ଆରଳରେ ପତିତପାବନ ବିଜେ ଥାଇ ଚତୁର୍ଧା ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିରର କାରୁକାର୍ଯ୍ୟ ଦେଖି ଏହି ଦୁଇ ମନ୍ଦିରକୁ ସ୍ଥାନୀୟ ଅଞ୍ଚଳ ପର୍ଯ୍ୟଟକ ମିନି କୋଣାର୍କ ଆଖ୍ୟା ଦେଇଛନ୍ତି। ଅନ୍ୟପକ୍ଷରେ ମନ୍ଦିର ଦୁଇଟିର ନିର୍ମାଣ ସମୟ ମଧ୍ୟ କୋଣାର୍କ ମନ୍ଦିର ସମୟର କୋଣାର୍କ ମନ୍ଦିର ନିର୍ମାଣ ପୂର୍ବରୁ ବୋଲି କିମ୍ବଦନ୍ତୀ ରହିଛି। ଶ୍ରୀମନ୍ଦିର ଆକ୍ରମଣ ସମୟରେ ଆରଳର ଏହି ବିରଳ ମନ୍ଦିରକୁ କଳାପାହାଡ ଆକ୍ରମଣ କରିଥିବା ଶୁଣିବାକୁ ମିଳେ

ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ଏହି ଦୁଇ ପ୍ରାଚୀନ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କାରୁକାର୍ଯ୍ୟ ସବୁ ନଷ୍ଟ ହୋଇଗଲାଣି। ଆରଳ ମନ୍ଦିରର କେବଳ ମୁଖଶାଳା ଥିବା ବେଳେ ମୁଖ୍ୟ ମନ୍ଦିର ଭାଙ୍ଗିଯାଇଛି। ଗତ କିଛି ବର୍ଷ ତଳେ ଏଏସ୍ଆଇ ସାମାନ୍ୟ କିଛି ମରାମତି କରିଥିବା ବେଳେ ମନ୍ଦିର ସମସ୍ତ କଳାଭାସ୍କର୍ଯ୍ୟ ଭଗ୍ନସ୍ତୁପ ଅବସ୍ଥାରେ ରହିଛି। ସେହିଭଳି ବୟାଳିଶିବାଟି ମନ୍ଦିରଟି ସଂପୂର୍ଣ୍ଣ ଭଗ୍ନସ୍ତୁପ ଅବସ୍ଥାରେ ରହିଛି। ମନ୍ଦିରରେ ଗଛ ସହିତ ଅନାବନା ଲତା ମାଡ଼ିଗଲାଣି। ପ୍ରାଚୀନ ଭାସ୍କର୍ଯ୍ୟ ବହନ କରୁଥିବା ଏହି ମନ୍ଦିରଟି ଯେ କୌଣସି ମୁହୂର୍ତ୍ତରେ ଭୁଶୁଡିଯିବାର ଆଶଙ୍କା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ବୟାଳିଶିବାଟି ମନ୍ଦିର କୋଣାର୍କ ପ୍ରତିବିମ୍ବ (ରିପ୍ଲିକା) ବୋଲି କୁହାଯାଏ। କୋଣାର୍କ ମନ୍ଦିର ନିର୍ମାଣ ପୂର୍ବରୁ ଏହାର ନିର୍ମାଣ କରାଯାଇଥିଲା। ରାଜା ନରସିଂହ ଦେବ (ଲାଙ୍ଗୁଳା ନରସିଂହ ଦେବ)ଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ରାଜାଙ୍କ ପାରିଷଦ ଭାବେ ଜଣାଶୁଣା ଶିବେଇ ସାମନ୍ତରାୟଙ୍କ ଗାଁ ବୟାଳିଶିବାଟି ବୋଲି ବୋଲି କୁହାଯାଏ।

ଏହି ଗାଁ ନିକଟରେ ଏକ ନଦୀ ରହିଛି, ଯାହାର ନାମ ପଥରବୁହା ନଦୀ ବୋଲି ସ୍ଥାନୀୟ ଲୋକେ କହନ୍ତି। କୋଣାର୍କ ମନ୍ଦିର ପାଇଁ ଯାଉଥିବା ପଥର ସବୁ ଏହି ନଦୀ ଦେଇ ଯାଇଥାଏ ବୋଲି କଥିତ ଅଛି। ମନ୍ତ୍ରୀ ଶିବେଇଙ୍କ ଗାଁ ବୟାଳିଶିବାଟି ହୋଇଥିବାରୁ ଶିଳ୍ପୀମାନେ ମନ୍ତ୍ରୀଙ୍କୁ ଖୁସି କରିବାକୁ ଏହି ମନ୍ଦିର ନିର୍ମାଣ କରିଥିବା କୁହାଯାଏ। ଅନ୍ୟ କେତେକଙ୍କ ମତରେ କୋଣାର୍କ ମୁଖ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ଏହାର ନକଲ ମନ୍ଦିର ନିର୍ମାଣ କରାଯାଇଥିଲା। ପରିପ୍ରେକ୍ଷୀରେ ସାଂସଦ ଶ୍ରୀ ମହାପାତ୍ରଙ୍କ ପରିକଳ୍ପିତ ଦ୍ଵିତୀୟ କୋଣାର୍କ ପୂର୍ବରୁ ଭୁଶୁଡିବାକୁ ବସିଥିବା ଏହି ଦୁଇ ପ୍ରାଚୀନ ଅବିକଳ କୋଣାର୍କ ମନ୍ଦିରର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ବର୍ତ୍ତମାନ ଜରୁରୀ ହୋଇପଡିଛି ବୋଲି ଉଭୟ ଅଞ୍ଚଳର ବାସିନ୍ଦା କହିଛନ୍ତି