ଅନାସ୍ଥା ପ୍ରସ୍ତାବ କାଟ ଖାଇଲାପରେ କେନ୍ଦ୍ର ବିରୋଧରେ ଗର୍ଜିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ! କହିଲେ, ସରକାର ବିରୋଧରେ ସଂଗ୍ରାମ ଜାରି ରହିବ

20

କନକ ବ୍ୟୁରୋ : ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସସଂଦରେ ସମସ୍ତ ଦଳକୁ ନିଜର ମତାମତ ଦେବାପାଇଁ ବାଚସ୍ପତି ସୁମିତ୍ରା ମହାଜନ ସମୟ ଦେଇଥିଲେ । ତେବେ ଲୋକସଭାରେ ସରକାରଙ୍କ ବିରୋଧରେ ଟିଡିପି ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏ ନେଇ ନୈରାଶ୍ୟ ପ୍ରକଟ କରିଛନ୍ତି। ତେବେ ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପାଇଁ ସଂଗ୍ରାମ ଜାରି ରଖିବ ବୋଲି ନାଇଡ଼ୁ କହିଛନ୍ତି। ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଅଛି, ସେଥିପାଇଁ ସେମାନେ ନୀତିକୁ ମୋଡ଼ି ମକଚି ଦେଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମକୁ ସେ ମାନେ ଅହଂକାରୀ କହୁଛନ୍ତି। ବାସ୍ତବରେ ସେ ହିଁ ଅହଂକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ସେ ଏହା କହିଛନ୍ତି। ଏକ ଆଞ୍ଚଳିକ ଦଳ ତରଫରୁ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପ୍ରଥମ ଥର ସବୁ ଦଳ ଏକତ୍ରୀତ ହୋଇଛନ୍ତି ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମର ନିରନ୍ତର ଲଢ଼େଇର ଅଂଶ ସ୍ୱରୂପ ଆମେ ଅନାସ୍ଥା ପ୍ରସ୍ତାବ ଆଣିଥିଲୁ। ବିଗତ ଚାରି ବର୍ଷ ଭିତରେ ମୁଁ ୨୯ ଥର ଦିଲ୍ଲୀ ଯାଇଛି। ଆନ୍ଧ୍ର ପ୍ରତି ନ୍ୟାୟ କରିବା ବଦଳରେ ସେ ମୋ ଉପରେ ରାଜନୈତିକ ଆକ୍ରମଣ କରିଛନ୍ତି। ଆମ ପାଖରେ ସଂଖ୍ୟା ନଥିବାରୁ କେନ୍ଦ୍ର ଆମ ପ୍ରତି ହୀନ ମନୋଭାବ ପୋଷଣ କରିଛି ବୋଲି ଚନ୍ଦ୍ରବାବୁ କହିଛନ୍ତି। ୨୦୧୪ରେ ବିଭାଜନ ହେବା ପରେ ଆନ୍ଧ୍ର ଯେଉଁ ସମସ୍ୟା ସାମ୍ନା କରୁଛି ତାହାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ପ୍ରତିଶୃତି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନାଇଡୁ କହିଛନ୍ତି।

ରାଜ୍ୟର ୫ କୋଟି ଲୋକ ଭାବିଥିଲେ କେନ୍ଦ୍ର ସରକାର ନିଜ ଭୁଲକୁ ସୁଧାରିବେ। କିନ୍ତୁ ସବୁ ଆଶା ପାଣିରେ ମିଳେଇଗଲା। ପ୍ରଧାନମନ୍ତ୍ରୀ ଯେଭଳି କଥା କହିଲେ ତାହା ଆମ ରାଜ୍ୟକୁ ତାତ୍ସଲ୍ୟ କରିବା ଭଳି ବୋଲି ସେ କହିଛନ୍ତି। ନିଜର ହକ୍ ପାଇବା ଭଳି ଅନାସ୍ଥା ପ୍ରସ୍ତାବ ଏକ ଛୋଟିଆ ଅସ୍ତ୍ର ଥିଲା। ଆମର ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ବିଭିନ୍ନ ଦଳର ନେତାଙ୍କ ସହିତ ଆଲୋଚନା କରିବା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ବୋଲି ନାଇଡୁ କହିଛନ୍ତି। ତେବେ ଆନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀ ବିଜେପିକୁ ୨୦୧୪ ମସିହାରେ ସମର୍ଥନ ଦେଇଥିଲେ ଓ ସେତେବେଳେ ସମୟରେ ଆନ୍ଧ୍ରକୁ ସ୍ୱତନ୍ତ୍ରପାହ୍ୟା ରାଜ୍ୟ ମାନ୍ୟତା ଦେବା ଲାଗି କହିଥିଲେ । କିନ୍ତୁ ପରେ ସରକାର କହିଥିଲେ ଯେ, ବର୍ତ୍ତମାନ ସମୟରେ କୈାଣସି ପରିସ୍ଥିତିରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା କାହାକୁ ବି ଦିଆଯାଇପାରିବ ନାହିଁ । କେବଳ ଆନ୍ଧ୍ର ନୁହେଁ ବରଂ ଓଡିଶାର ମଧ୍ୟ ଅନେକ ଦିନ ତଳୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ରହିଛି । ତେଣୁ ନିୟମ ଅନୁସାରେ ସ୍ୱତନ୍ତ୍ର ପାହ୍ୟା ଦେଇ ଦେବ ନାହିଁ ଜାଣିଲା ପରେ ଟିଡିପି ଏନଡିଏରୁ ନିଜ ସମର୍ଥନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି ।