ବିଧାୟକ ଖେଳିଲେ ଫୁଟବଲ ! ନୟାଗଡରେ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟରେ ମୁହାଁମୁହିଁ ହେଲେ ୪ ବିଧାୟକଙ୍କ ଟିମ୍

ବନ୍ଧୁତାପୂର୍ଣ୍ଣ ମ୍ୟାଚରେ ଜିତିଲେ ନୟାଗଡ ଓ ରଣପୁର

433

କନକ ବ୍ୟୁରୋ: ନୟାଗଡ଼ରେ ଉଦଘାଟିତ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଂଟ ନୟାଗଡ କପ-୨୦୧୯ । ଗତକାଲି ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୪ ବିଧାୟକଙ୍କ ନେତୃତ୍ୱରେ ୪ ଟି ଦଳକୁ ନେଇ ହୋଇଥିବା ମ୍ୟାଚରେ ରଣପୁର ଓ ନୟାଗଡ ଦଳ ଯୁଗ୍ମ ବିଜେତା ହୋଇଛନ୍ତି । ଏହି ଖେଳ ଏକତା ଓ ଭାଇଚାରାର ଏକ ନିଦର୍ଶନ ବୋଲି କହିଛନ୍ତି ବିଧାୟକମାନେ । ପ୍ରଥମ ମ୍ୟାଚରେ ସାମନା ସାମନି ହୋଇଥିଲେ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ଟିମ ଓ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ଟିମ । ପରବର୍ତୀ ମ୍ୟାଚରେ ଖଣ୍ଡପଡାର ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ରଣପୁରର ବିଧାୟକ ସତ୍ୟନାରାୟଣ ପ୍ରଧାନ ସାମ୍ନା ସାମ୍ନି ହୋଇଥିଲେ । ଶେଷରେ ରଣପୁର ଓ ନୟାଗଡ ଟିମ୍ ଯୁଗ୍ମ ବିଜେତା ରହିଥିଲେ ।

ସ୍ଥାନ ନୟାଗଡ ଖେଳ ପଡିଆ । ନୟାଗଡ କପ ଫୁଟବଲ ୨୦୧୯ ର ଉଦଘାଟନୀ ପର୍ବ , ଶନିବାର ଦିନ ୩ ଟା । ହଜାର ହଜାର ଖେଳପ୍ରେମୀଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲାର ୪ ବିଧାୟକ । ଅବସର ଥିଲା ୪ ବିଧାୟକଙ୍କ କ୍ୟାପଟେନସିରେ ପ୍ରଦର୍ଶନୀ ଟୁର୍ଣ୍ଣାମେଂଟ । ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ପରେ ଆରମ୍ଭ ହେଲା ଲଢେଇ । ପ୍ରଥମ ମ୍ୟାଚରେ ସାମନା ସାମନି ହେଲେ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ଟିମ ଓ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ଟିମ । ବେଶ କିଛି ସମୟ ଟକ୍କର ପରେ ଅରୁଣ ଏକାଦଶ ସ୍କୋର କଲା ଗୋଟିଏ ଗୋଲ । ପରେ ପରେ ଆଉ ୨ଟି ଗୋଲ । ଏହାର କିଛି ସମୟ ବ୍ୟବଧାନରେ ଦଶପଲ୍ଲାର ରମେଶ ଟିମ ଶୁଝାଇଲା ଗୋଟିଏ ଗୋଲ । ଦୁଇଟି ଗୋଲ ପଛୁଆ ଥିବା ସମୟରେ ବାଜିଗଲା ହୁଇସିଲ । ରମେଶ ହାରିଲେ , ଅରୁଣ ଫାଇନାଲକୁ ଗଲେ । ପରବର୍ତୀ ମ୍ୟାଚରେ ଫାଇଟକୁ ଆସିଲେ ଖଣ୍ଡପଡାର ବିଧାୟକ ସୌମ୍ୟ ରଂଜନ ଆଉ ରଣପୁରର ବିଧାୟକ ସତ୍ୟନାରାୟଣ । ଉଭୟ ଟିମ ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କଲେ । ହେଲେ ନିର୍ଦ୍ଧାରିତ ସମୟ ରହିଲା ଗୋଲ ଶୂନ୍ୟ । ଟାଇବ୍ରେକରରେ କିନ୍ତୁ ୪-୨ ଗୋଲ ବ୍ୟବଧାନରେ ରଣପୁରର ସତ୍ୟ ନାରାୟଣଙ୍କ ଠାରୁ ହାରିଗଲେ ଖଣ୍ଡପଡାର ସୌମ୍ୟରଂଜନ ।

ଏବେ ଫାଇନାଲ ଫାଇଟ ଥିଲା ନୟାଗଡ ବନାମ ରଣପୁର । ପ୍ରଥମ ମ୍ୟାଚରେ ରଣପୁରର ପ୍ରଦର୍ଶନ ଦେଖି ସମସ୍ତେ ଭାବୁଥିଲେ ଅରୁଣ ବାଜି ଜିତିଯିବେ । ହେଲେ ସତ୍ୟନାରାୟଣ ଦେଲେ କଡା ଟକ୍କର । ଜି ଜାନ ଲଗାଇ ଦେଲେ ଟିମ ମେମ୍ବର । କଡା ମୁକାବିଲାରେ ରଣପୁରର ଗଡ ଭେଦ କରିପାରିଲା ନାହିଁ ନୟାଗଡର ଅରୁଣଙ୍କ ଟିମ । ମ୍ୟାଚ ହେଲା ଟାଇ । ଆଲୋକ ଅଭାବରୁ ଟାଇବ୍ରେକରର ସହାୟତା ନିଆଗଲାନାହିଁ । ଶେଷରେ ରଣପୁର ଓ ନୟାଗଡ ଉଭୟଙ୍କୁ ଘୋଷଣା କରାଗଲା ଯୁଗ୍ମ ବିଜେତା । ଉଭୟ ଦଳକୁ ଟ୍ରଫି ପ୍ରଦାନ ସହ ସୌମ୍ୟରଂଜନଙ୍କୁ କରାଗଲା ସ୍ୱତନ୍ତ୍ର ସମ୍ମାନ । ତେବେ ସବୁ ବର୍ଷ ଭଳି ନୟାଗଡରେ ଆରମ୍ଭ ହେଉଛି ସର୍ବ ଭାରତୀୟ ଫୁଟବଲ ଟୁର୍ଣାମେଂଟ । ତା ପୂର୍ବରୁ ଆଜି ଏକ ମହିଳା ପ୍ରଦର୍ଶନୀ ମ୍ୟାଚର ଆୟୋଜନ କରାଯାଇଛି । ନୟାଗଡର ଏହି ଟୁର୍ଣାମେଂଟ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବ ବୋଲି ଆୟୋଜକ ଆଶା ପ୍ରକଟ କରିଛନ୍ତି ।