ବନ୍ଦୀ ବନାଇଲା ବନ୍ୟା ! କେନ୍ଦ୍ରାପଡ଼ାରେ ୧୬ଟି ଗ୍ରାମପଂଚାୟତ ପାଣିଘେରରେ, ଯୋଗାଯୋଗ ବିଚ୍ଛିନ୍ନ

23

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବ୍ରାହ୍ମଣୀର ବନ୍ୟା ଜଳ ଲୋକଙ୍କ ଦୁଃଖ ବଢାଇ ଦେଇଛି । ଆଳି ବ୍ଲକରେ ବି ଚିନ୍ତା ବଢାଇଛି ବ୍ରାହ୍ମଣୀର ବନ୍ୟା ଜଳ । ପଣ୍ଡପୁର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ । ବିପଦସଙ୍କେତ ୧୬ଫୁଟ ଥିବାବେଳେ ୧୭.୭୭ଫୁଟରେ ବଢି ପାଣି ପ୍ରବାହିତ ହେଉଛି । ଆଳି ବ୍ଲକର ୧୬ଟି ଗ୍ରାମପଂଚାୟତ ଏବେବି ପାଣି ଘେରରେ ରହିଛନ୍ତି । ଅଧିକାଂଶ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତର ୨୫ଟି ଗାଁ ଓ ଏନଏସିର ୬ଟି ୱାର୍ଡ ମଧ୍ୟ ପାଣି ଘେରରେ ରହିଛନ୍ତି । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ଆଳିରେ ୨ଟି ଓଡ୍ରାଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେପଟେ ଖରସ୍ରୋତା ଓ କାଣୀ ନଦୀରେ ମଧ୍ୟରେ ଆସିଛି ବନ୍ୟା ଜଳା ଗାଁ ଭିତରେ ନଦୀର ପ୍ରଖର ସୁଅ ବୋହୁଛି । ଘରଦ୍ୱାର, ମନ୍ଦିର, ସ୍କୁଲ୍ ସବୁ ପାଣି ଭିତରେ ବୁଡି ରହିଛି । ଚାରିଆଡେ ବନ୍ୟା ଜଳ ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ପଟାମୁଣ୍ଡାଇ । ବ୍ଲକର ପେଂଠପାଳ, ସିଂହ ଗାଁ ଓ ଅଳପୁଆ ପଂଚାୟତର ପ୍ରାୟ୩୦ ରୁ ଅଧିକ ଗାଁ ଏବେବି ଜଳବନ୍ଦୀ ।

ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ କମିଥିଲେ ସୁଦ୍ଧା ଲୋକଙ୍କ ଦୁର୍ଦ୍ଧଶା କମିନି । ଭୋଗରାଇ ବ୍ଲକର ୮ଟି ପଂଚାୟତର ୨୦ରୁ ଅଧିକ ଗାଁ ଏବେବି ପାଣି ଘେରରେ ରହିଛି । ବଢି ପାଣି ଯୋଗୁଁ ୧୨ହଜାର ହେକ୍ଟର ଚାଷ ଜମିରେ ଖରିଫ ଫସଲ ନଷ୍ଟ ହୋଇଛି । ପ୍ରଶାସନ ପକ୍ଷରୁ ୧୬ଟି ପଂଚାୟତଯର ୬୧ଗାଁର ବନ୍ୟା ପୀଡିତଙ୍କୁ ରିଲିଫ ପ୍ରଦାନ କରାଯାଇଛି । ଚାରିଆଡେ ପାଣି ଜମିଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ଯାଜପୁର । ଜିଲ୍ଲାର ଧର୍ମଶାଳା ବ୍ଲକ୍ ଇମାମନଗରରେ କଲଭର୍ଟକୁ ଧୋଇନେଇଛି ନଇର ପ୍ରଖର ସ୍ରୋତ । ଫଳରେ ଠପ୍ ହୋଇଯାଇଛି ଗମନାଗମନ । ସେହିପରି ବରୀରେ ସୃଷ୍ଟି ହୋଇଛି ୬୦ ଫୁଟର ଘାଇ । ୧୫ଟି ପଂଚାୟତର ୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଜେନାପୁର ମୁଖ୍ୟ ରାସ୍ତାରେ ଲହଡି ଭାଂଗୁଛି ୫ ଫୁଟର ପାଣି ।