ମୃତ୍ୟୁ ପରେ ଶରୀର ପଡିଯାଇଥିଲା ନୀଳ, କାହିଁକି କରାଗଲା ନାହିଁ ପୋଷ୍ଟମଟମ୍, କେମିତି ହେଲା ବ୍ୟକ୍ତିଗତ ସହାୟକ ଓ ବ୍ୟକ୍ତିଗତ ଡାକ୍ତରଙ୍କ ମୃତ୍ୟୁ ; ମୃତ୍ୟୁକୁ ନେଇ କ’ଣ କହିଥିଲେ ଶାସ୍ତ୍ରୀଜୀଙ୍କ ବ୍ୟକ୍ତିଗତ ସହାୟକ କୁଲଦୀପ ନାୟାର ? 

3,449
କନକ ବ୍ୟୁରୋ : ଅକ୍ଟୋବର ୨  ଦେଶର ପିତା ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ  ସହିତ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ବି ଜନ୍ମ ଦିନ । ଆମେ ମହାତ୍ମା ଗାନ୍ଧୀଙ୍କର ଜନ୍ମଦିନ ଛାୟାତଳେ ଲୁଚାଇ ଦେବାକୁ ଚାହୁଁଛେ କି ଶାସ୍ତ୍ରୀଙ୍କ ଜନ୍ମ ଦିନକୁ । କାରଣ ଦେଶ ସ୍ୱାଧୀନ ପାଇଁ ଗାନ୍ଧୀଙ୍କର ଅବଦାନ ଭଳି ଦେଶର କୃଷିଜୀବୀଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ଅଧିକାର ଦେଉଥିବା ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ବାବଦରେ ଆଜିର ଦିନରେ କମ୍ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।
ଶାସ୍ତ୍ରୀ ଅତ୍ୟନ୍ତ ସାଧାରଣ ପରିବାରରୁ ଆସି ଦେଶର ଏକ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇଥିଲେ । ସାର୍ବଜନୀନ ଜୀବନରେ ବି ଶାସ୍ତ୍ରୀଜୀ ଅନେକ ଉଦାହରଣ ସ୍ଥାପନ କରିଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଗୋଟିଏ ରେଳ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରି ପଦ ଛାଡିଥିଲେ । ଯାହା ଆଜିର ରାଜନେତାଙ୍କ କ୍ଷେତ୍ରରେ ବିରଳ । ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ବି ନା ତାଙ୍କ ପାଖରେ ଥିଲା ଭଲ ଘର ନା ଥିଲା ବ୍ୟାଙ୍କ ବାଲାନ୍ସ । ଯେତେବେଳେ ତାଙ୍କର ପିଲାମାନେ ଏକ କାର କିଣିବାକୁ ଜିଦ୍ କରିଥିଲେ ସେତେବେଳେ ତାଙ୍କୁ ବ୍ୟାଙ୍କରୁ ଋଣ କରି କାର କିଣିବାକୁ ପଡିଥିଲା । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଥିବା ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର  ୧୯୬୬ ମସିହାରେ ତାସକେଣ୍ଟ ଠାରେ  ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା ।
ସବୁଠାରୁ ବଡ କଥା ସେ ଦେଶ ସ୍ୱାଧୀନ ପାଇଁ ଲଢେଇ କରି ଶେଷରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଳଙ୍କୃତ ହୋଇଥିଲେ ବି ତାଙ୍କ ଜୀବନ କାଳରେ କେବେ ବି କୌଣସି ବିବାଦ ତାଙ୍କୁ ଛୁଇଁପାରି ନଥିଲା । ହେଲେ ତାଙ୍କର ମୃତ୍ୟୁ ବଡୁତ ରହସ୍ୟମୟ ପରିସ୍ଥିତିରେ ହୋଇଥିଲା । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୧୦ ଜାନୁଆରୀରେ ସେ ତାଶକେଣ୍ଟ ଠାରେ ପାକିସ୍ତାନ ସହିତ ଶାନ୍ତି ଚୁକ୍ତି କରିବାର ୧୨ ଘଂଟା ଭିତରେ ତାଙ୍କର ଅସ୍ୱଭାବିକ  ମୃତ୍ୟୁ ହୋଇଥିଲା । ହେଲେ ବେସରକାରୀ ଭାବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । କାରଣ ୧୯୫୯ ମସିହାରେ ଶାସ୍ତ୍ରୀଙ୍କର ପ୍ରଥମ ହୃଦଘାତ ହୋଇଥିଲା ।
ଚୁକ୍ତିର ୧୨ ଘଂଟା ପରେ ହୋଇଥିଲା ମୃତ୍ୟୁ —
୧୯୬୫ ମସିହା ଏପ୍ରିଲ ମାସରୁ ସେପ୍ଟେମ୍ବର ୨୩ ତାରିଖ । ଅର୍ଥାତ ପାଖା ପାଖି ୬ ମାସ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧ ଶେଷ ହେବାର ୪ ମାସ ପରେ ଭାରତ- ପାକ୍ ମଧ୍ୟେରେ ଶାନ୍ତି ଫେରାଇ ଆଣିବାକୁ ଭାରତ ଓ ପାକିସ୍ତାନ ର ଶୀର୍ଷ ନେତା ମାନେ ଏକ ଶାନ୍ତି ଚୁକ୍ତି କରିବାକୁ ଋଷର ତାସକେଣ୍ଟ ଯାଇଥିଲେ । ଯେଉଁଥିରେ ଋଷ ମଧ୍ୟସ୍ଥତା କରିଥିଲା । ଏଠାରେ ଉପସ୍ଥିତ ନେତାଙ୍କ ଭିତରେ ଥିଲେ ଭାରତର ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଓ ପାକିସ୍ତାନର ରାଷ୍ଟ୍ରପତି ଆୟୂବ ଖାନ୍ । ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ୧୯୬୬ ଜାନୁଆରୀ ୧୦ ତାରିଖରେ ଏହି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଂଚିଥିଲା । ତାଶକେଣ୍ଟରେ ଭାରତ- ପାକିସ୍ତାନ ଶାନ୍ତି ଚୁକ୍ତି ଉପରେ ସ୍ୱାକ୍ଷର କରିବା ପରେ ଶାସ୍ତ୍ରୀଜୀ ଅତ୍ୟାଧିକ ଚାପରେ ଥିଲେ । ଚୁକ୍ତି ମୁତାବକ ଭାରତର ହାଜିପିର ଓ ଟିଥ୍ବାଲ ପାକିସ୍ତାନକୁ ମିଳିଥିଲା । ଯାହାକୁ ନେଇ ଭାରତ ପକ୍ଷରୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ଶାସ୍ତ୍ରୀ ଜୀ ଙ୍କୁ । ଏପରିକି ତାଙ୍କ ସ୍ତ୍ରୀ ମଧ୍ୟ ଏହି ଚୁକ୍ତିକୁ ନେଇ ବେସ୍ କ୍ରୋଧିତ ଥିଲେ ।
ଚୁକ୍ତିକୁ ନେଇ ପତ୍ନୀଙ୍କ ସହ ମତଭେଦ —
ଶାସ୍ତ୍ରୀଙ୍କ  ସହ ତାଶକେଣ୍ଟ ଯାଇଥିବା ତାଙ୍କର ସୂଚନା ଅଧିକାରୀ କୁଲଦିପ୍ ନାୟାର ବିବିସିକୁ ଦେଇଥିବା ଇଣ୍ଟଭ୍ୟିୁରେ କହିଥିଲେ କି ‘ଚୁକ୍ତି ଶେଷ ହେବା ପରେ ଶାସ୍ତ୍ରୀ ନିଜ ଘରକୁ ଫୋନ କରିଥିଲେ । କେହି ଜଣେ ଫୋନ ଉଠାଇବା ପରେ ଶାସ୍ତ୍ରୀ କହିଥିଲେ କି ଫୋନ ତୁମା ମା’ କୁ ଦିଅ , ଏହା ପରେ ଶାସ୍ତ୍ରୀଙ୍କ ବଡଝିଅ ଫୋନ ଧରି କହିଥିଲେ କି ମା ତୁମ ସହିତ କଥା ହେବାକୁ ଚାହୁଁ ନାହାନ୍ତି । କାହିଁକି ବୋଲି ଶାସ୍ତ୍ରୀ ପଚାରିବାରୁ ତାଙ୍କ ବଡଝିଅ କହିଥିଲେ ତୁମେ କାହିଁକି ହାଜିପୁର ଓ ଟିଥୱାଲ ପାକିସ୍ତାନକୁ ଦେଇଦେଲ । ତେଣୁ ମା’ ତୁମ ଉପରେ ଭିଷଣ ରାଗ କରିଛନ୍ତି । ’ ଏହି କଥା ଶୁଣିବା ପରେ ଶାସ୍ତ୍ରୀ ଭାଙ୍ଗିପଡିଥିଲେ । ଏହାପରେ ସେ ରହୁଥିବା ଘରର ଚାରିପଟେ ଚକ୍କର ଲଗାଇଥିଲେ । ସେ ଫୋନକରି ତାଙ୍କର ବ୍ୟକ୍ତିଗତ ସଚିବ ଭେଙ୍କଟ ରମଣଙ୍କୁ ପଚାରିଥିଲେ କି ଚୁକ୍ତି ଉପରେ ଭାରତରୁ କିଭଳି ପ୍ରତିକ୍ରିୟା ଆସୁଛି । ଭେଙ୍କଟ ରମଣ କହିଥିଲେ କି ଭାରତରୁ ମାତ୍ର ୨ ଟି ପ୍ରତିକ୍ରିୟା ଆସିଛି । ଗୋଟିଏ ଅଟଳ ବିହାରୀ ବାଜପେୟୀଙ୍କର ଓ ଅନ୍ୟଟି କୃଷ୍ଣ ମେନନ୍ଙ୍କର । ୨ ଜଣ ଯାକ ଏଭଳି ଚୁକ୍ତିକୁ ନେଇ ସମାଲୋଚନା କରିଛନ୍ତି ।
ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବାର ୧୨ ଘଂଟା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏଭଳି ମୃତ୍ୟୁ ସ୍ୱଭାବିକ ଥିଲା ନା ତାଙ୍କୁ ହତ୍ୟା କରାଯାଇଥିଲା । ସେଠାରେ ଥିବା କିଛି ଲୋକ କହିଛନ୍ତି କି ଚୁକ୍ତି ସରିବା ପରେ ଶାସ୍ତ୍ରୀଜୀ ତାଙ୍କ ଭବନରେ ଭାରି ଚିନ୍ତାରେ ଥିବା ଭଳି ଲାଗୁଥିଲା । ଏହି କଥାକୁ ନେଇ ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଦାତା କୁଲଦୀପ୍ ନାୟାର ତାଙ୍କ ରଚିତ ପୁସ୍ତକ ‘ବିୟୋଡ ଦ ଲାଇନ’ ରେ ଲେଖିଛନ୍ତି କି ଚୁକ୍ତି ସରିବା ପରେ ମୁଁ ଶୋଇବାକୁ ଯାଉଥିଲି । ହଠାତ ଜଣେ ଋଷୀୟ ମହିଳା ଆସି ତାଙ୍କ କବାଟ ବାଡେଇଥିଲା । ମୁଁ କବାଟ ଖୋଲିବା ପରେ ସେ କହିଥିଲେ କି ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଛି, ଶୀଘ୍ର ଆସ । ମୁଁ ଚକିତ ହୋଇ ଶାସ୍ତ୍ରୀଙ୍କ ପାଖରେ ପହଂଚି ଦେଖିଲି ଯେ ସେଠାରେ ଋଷର ପ୍ରଧାନମନ୍ତ୍ରୀ ଏଲେକ୍ସି କୋରଜେନ ଠିଆ ହୋଇଛନ୍ତି । ସେ ଇଶାରା କରି ମୋତେ କହିଲେ କି ଶାସ୍ତ୍ରୀଜୀ ଆଉ ନାହାନ୍ତି । କୁଲଦୀପ ଆହୁରି କହିଛନ୍ତି କି ମୁଁ ଦେଖିଲି କାର୍ପେଟ ଉପରେ ତାଙ୍କର ଚପଲ ରହିଥିଲା  ଓ ତାଙ୍କ ମୃତ ଶରୀର ନିକଟରେ ଏକ ଡ୍ରେସିଂ ଟେବୁଲ ଥିଲା । ଯାହା ଉପରେ ଏକ ଥର୍ମୋପ୍ଲାସ ରହିଥିଲା । ଯାହାକୁ କେହି ଖୋଲିବାକୁ ଚେଷ୍ଟା କରିଥିବା ଭଳି ଥର୍ମୋପ୍ଲସର ଠିପି ଅଧା ଖୋଲା ହୋଇ ରହିଥିଲା ।
ଖାଇବାରେ ବିଷ ମିଶାଯାଇଥିଲା ! 
ଅନ୍ୟପଟେ କିଛି ଲୋକ ଦାବି କରିଥିଲେ ସେହି ରାତିରେ ଶାସ୍ତ୍ରୀଜୀଙ୍କୁ ଖାଇବାକୁ ତାଙ୍କ ନିଜ ସହାୟକ ରାମନାଥ ଦେଇ ନଥିଲେ । ବରଂ ସୋଭିଏତ ଋଷରେ ଥିବା ଭାରତୀୟ ଦୂତ ତିନ କୌଲକ  ଜନ ମହମ୍ମଦଙ୍କ ଦ୍ୱାରା ରୋଷେଇ କରାଇ ଶାସ୍ତ୍ରୀଙ୍କୁ ଖାଇବାକୁ ଦେଇଥିଲେ । ଶାସ୍ତ୍ରୀ ଖାଇସାରିବା ପରେ ବିଛଣାକୂୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତ୍ୟୁର କିଛି ସମୟ ମଧ୍ୟରେ ତାଙ୍କ ମରଶରୀର ସମ୍ପୁର୍ଣ୍ଣ ନୀଳ ପଡିଯାଇଥିଲା । ଯାହାକୁ ନେଇ ସେଠାରେ ଥିବା ବ୍ୟକ୍ତିମାନେ ଖାଦ୍ୟରେ ବିଷ ଦିଆଯାଇଥିôବା ଅନୁମାନ କରିଥିଲେ । ଏନେଇ ଅନେକ ବାଦ ବିବାଦ ପରେ ତାଙ୍କର ମରଶରୀରକୁ ଭାରତକୁ ପଠାଗଲା । ଶବ ଦେଖିବା ପରେ ଶାସ୍ତ୍ରୀଙ୍କ ପତ୍ନୀ ଅଭିଯୋଗ କରିଥିଲେ କି ଏହା ସ୍ୱଭାବିକ୍ ମୃତ୍ୟୁ ନୁହେଁ । ଯଦି ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛି ତେବେ ତାଙ୍କ ଶରୀର କାହିଁକି ନୀଳ ପଡିଲା ବୋଲି ସେ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଅକ୍ଟୋବର ୨ ୧୯୭୦ ମସିହାରେ ଲଳିତା ଶାସ୍ତ୍ରୀ ତାଙ୍କ ମୃତ୍ୟୁର ତଦନ୍ତ ଦାବି କରିଥିଲେ ।
୨ ବ୍ୟକ୍ତିଗତ ସହାୟକଙ୍କ ଉପରେ ସନ୍ଦେହ —
ତାଙ୍କ ମୃତ୍ୟୁ ପରେ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ ଦାବି ମୁତାବକ ସରକାର ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ଯାଂଚ କମିଟି ଗଠନ କରିଥିଲେ । ହେଲେ କମିଟି ଯାଂଚ କରିବା ଆରମ୍ଭ କଲା ବେଳକୁ ଶାସ୍ତ୍ରୀଙ୍କର ବ୍ୟକ୍ତିଗତ ଡାକ୍ତର ଆର.ଏନ୍ ସିଂ ଓ ବ୍ୟକ୍ତିଗତ ସହାୟକ ରାମନାଥଙ୍କ ଭିନ୍ନ ଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ୨ ଜଣ ବି ଶାସ୍ତ୍ରୀଙ୍କ ସହିତ ତାଶକେଣ୍ଟ ଯାଇଥିଲେ ।  ହେଲେ ସେମାନଙ୍କର ପୋଷ୍ଟମଟର୍ମ କରାଗଲା ନାହିଁ ।
ପ୍ରଥମ ତ ଜଣେ ପ୍ରଧାନମନ୍ତ୍ରୀଙ୍କ ଅସ୍ୱଭାବିକ ମୃତ୍ୟୁ ପରେ ତାଙ୍କ ମର ଶରୀରର ପୋଷ୍ଟମଟର୍ମ କରାନଯିବାକୁ ନେଇ ସରକାର କାଠ ଗଡାରେ ଠିଆ ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ସହାୟକ ଓ ଡାକ୍ତରଙ୍କ ମୃତ୍ୟୁ ପରେ ବି ସେମାନଙ୍କ ଶରୀରକୁ ପୋଷ୍ଟ ମଟର୍ମ କରାନଯିବା ସରକାରଙ୍କୁ ସନ୍ଦେହ ଘେରରେ ରଖିଛି । ଏହା ଇଶାରା କରୁଛି କି ଗୋଟଏ ସାଧାରଣ ପରିବାରରୂୁ ଆସି ସ୍ୱାଧୀନତା ସେନାନୀ ଭାବେ ନାମ କମାଇବା ଓ ଶେଷରେ ଦେଶର ପ୍ରଧାନମନ୍ତ୍ରୀ ଭଳି ଆସନରେ ଅଳଙ୍କୃତ ହେବା କୁ କିଛି ନେତା ସହି ପାରୁ ନଥିଲେ । ଏହା ସହ ଦେଶରେ ଶାନ୍ତି ଫେରାଇବାକୁ ପାକିସ୍ତାନକୁ କିଛି ଅଞ୍ଚଳ ଛାଡି ଦେବା ବି କିଛି ଲୋକଙ୍କୁ ବ୍ୟଥିତ କରିଥିଲା । ଏଭଳି ସ୍ଥିତିରେ ତାଙ୍କ ଭଳି ଜରେ ଜନନାୟକଙ୍କର ଅସ୍ୱଭାବିକ ମୃତ୍ୟୁ ପଛର ରହସ୍ୟ ଆଜି ବି ସନ୍ଦେହ ଘେରରେ ଥିବା ବେଳେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଆଜି ବି ଦାବି ହେଉଛି ।