ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କୁ କରୋନା : ପଜିଟିଭ ନେଇ ଟ୍ୱିଟ୍ କରି ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ ; ପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ କରୋନା ପଜିଟିଭ ଥିଲେ 

217

କନକ ବ୍ୟୁରୋ :  ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ କରୋନା । କରୋନା ପରୀକ୍ଷା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ର୍ପତି । ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆମେରିକା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ କ୍ୱାରେନଟାଇନ୍ ରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫାଷ୍ଟ ଲେଡି । ଆମେରିକାରେ ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଥିବା ବେଳେ ଏହି କରୋନା ପଜିଟିଭ୍ ଖବର ଟ୍ରମ୍ପଙ୍କ ପାଇଁ ବଡ ଝଟକା ହୋଇଛି । ଟ୍ରମ୍ପଙ୍କର ଏକାଧିକ ନିର୍ବାଚନୀ ସଭାକୁ ବାତିଲ କରାଯାଇଛି । ଆସନ୍ତା ନଭେମ୍ୱର ୩ ତାରିଖରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । 

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ହୋପ୍ ହିକ୍ ଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ । ଏହା ଜଣାପଡିବା ପରେ  ଟ୍ରମ୍ପ ଦମ୍ପତି ନିଜକୁ କ୍ୱାରେଂଟାଇନ୍ କରି ନେଇଥିଲେ । ହୋପ୍ ହିକ୍ , ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏୟାରଫୋର୍ସ ୱାନରେ ସବୁ ସ୍ଥାନକୁ ଗସ୍ତ କରିଥିଲେ । ନିକଟରେ ପ୍ରେସିଡେଂଟ ଡିବେଟ ପାଇଁ ହୋପ୍ ହିକ୍ , ଟ୍ରମ୍ପଙ୍କ ସହିତ କ୍ଲିଓଲାଣ୍ଡ ଗସ୍ତ କରିଥିଲେ । ଏହା ପରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା ।

ନିଜର ବ୍ୟକ୍ତିଗତ ପରାମର୍ଶଦାତାଙ୍କୁ କରୋନା ପଜିଟିଭ୍ ଖବର ଜଣାପଡିବା ପରେ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ଟ୍ରମ୍ପ ଟୁଇଟ୍ କରି ସୂଚନା ଦେଇଛନ୍ତି , ଏବେ ମୁଁ ସଂଗରୋଧରେ ରହିଛି । କରୋନାରୁ ମୁକ୍ତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମିତି ଟୁଇଟରରେ ଆମେ ଯୋଡି ହୋଇ ରହିବା । ଟ୍ରମ୍ପଙ୍କ କରୋନା ପଜିଟିଭ୍ ଖବର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିବନ୍ଧକ ହେବ ବୋଲି ଅନୁମାନ କରାଯାଉଛି ।