ପୋଲିସ ବନାମ ପୋଲିସ ବାବୁଙ୍କ ପରିବାର । ମଝି ରାସ୍ତାରେ ଏଡିଜିଙ୍କ ପତ୍ନୀ ହେଲେ ହଟହଟା । ଗାଡି ଅଟକାଇ ଟ୍ରାଫିକ ନିୟମ ପଢାଇଲେ କର୍ମଚାରୀ

27

କନକ ବ୍ୟୁରୋ : ପୋଲିସ ଏଡିଜିଙ୍କ ପରିବାରକୁ ଅଟକାଇଦେଲା ଟ୍ରାଫିକ ପୋଲିସ । ମିଳିଥିବା ସୂଚନା ଅନୁସାରେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପରିବାର ସଦସ୍ୟ ଭୁବନେଶ୍ୱର ଏଜି ଛକଦେଇ ଗଲାବେଳେ ସେହି ସମୟରେ ରାଜ୍ୟ ସଚିବାଳୟ ଅଭିମୁଖେ ବାହାରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ । ଆଉ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଛାଡିବା ଲାଗି ସମସ୍ତ ଗାଡି ଅଟକାଇ ରାସ୍ତା ଖାଲି କରିଥିଲେ । ହେଲେ ପୋଲିସର କଟକଣାରେ ଉତକ୍ଷିପ୍ତ ହୋଇ ଏଡିଜିଙ୍କ ପରିବାର ଟ୍ରାଫିକ ପୋଲିସ ସହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି ।

ତେବେ ଏଡିଜିଙ୍କ ପରିବାରକୁ ଅଟକାଇ ଦେଇଥିବା ଟ୍ରାଫିକ କେନଷ୍ଟବଳ ପୁଷ୍ପଲତା ଭୋଇ କହିଛନ୍ତି ଯେ, ସେ କେବଳ ତାଙ୍କ ଡ୍ୟୁଟି କରୁଥିଲେ । ପୋଲିସ ଗାଡିଟିକୁ ଥାନାକୁ ଆଣିଥିବା ବେଳେ ଏହା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ବବିତା ଆଚାର୍ଯ୍ୟଙ୍କ ନାଁରେ ଥିବା ଜଣାପଡିଛି । ସେହିପରି ଗଣ୍ଡଗୋଳ ସମୟରେ ଏଡିଜିଙ୍କ ପତ୍ନୀ ଓ ଝିଏ ଥିବା ମଧ୍ୟ ସୂଚନା ମିଳିଛି । ଏପରିକି ଉକ୍ତ ଅଧିକାରୀଙ୍କ ପତ୍ନୀକୁ ଟ୍ରାଫିକ ନିୟମ ମଧ୍ୟ ପଢାଇଥିଲେ ଉକ୍ତ କର୍ମଚାରୀ । ଗୋଟିଏ ପଟେ ଟ୍ରାଫିକ ନିୟମକୁ କଡାକଡି କରିବାକୁ ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ଖୋଦ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ପତ୍ନୀ ଏଭଳି ଟ୍ରାଫିକ ନିୟମ ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ଏକ ବଡ ପ୍ରଶ୍ନ ।