ପୁଣି ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହିସାବ ମାଗିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

249

କନକ ବ୍ୟୁରୋ : ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ଲାଗିଥିବା ଅଡୁଆ ଏବେ ନୂଆ ମୋଡ ନେଇଛି । ଦେଶର ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିଛନ୍ତି । ସେମାନେ ପାଣ୍ଠି ହିସାବର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ମହାମାରୀ ବେଳେ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ଗଠନ କରିଥିଲେ । ପାଣ୍ଠି ଗଠନ ବେଳେ କୁହାଯାଇଥିଲା କି ଏହି ପାଣ୍ଠିକୁ ଯାହା ସାହାଯ୍ୟ ମିଳିବ ତାହାକୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଉପଯୋଗ କରାଯିବ । ହେଲେ ପାଣ୍ଠି ଗଠନ ହେବା ଦିନରୁ ଏହାର ସ୍ୱଚ୍ଛତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । କେବେ ବିରୋଧୀ ମାନେ ଏହି ପାଣ୍ଠିର ଅର୍ଥକୁ ପ୍ରଧାନମନ୍ତ୍ରୀ ନିଜ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବା ନେଇ ଅଭିଯୋଗ କରୁଥିବା ବେଳେ ଏବେ ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିବା ପରେ ଅଡୁଆରେ କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀଙ୍କୁ ଲେଖା ଯାଇଥିବା ଚିଠିରେ ଅବସରପ୍ରାପ୍ତ ଆଇଏସ ଅନୀତା ଅଗ୍ନିହୋତ୍ରୀ, ଶରଦ ବେହାର, ଏସ୍.ପି ଆମ୍ବ୍ରୋସ, ସାଜଦ୍ ହାସନ ଭଳି ପ୍ରଶାସନିକ ଅଧିକାରୀ ରହିଛନ୍ତି ।କହିରଖୁ କି ଏହି ପାଣ୍ଠି ଗଠନ ହେବା ଦିନରୁ ସରକାର ସନ୍ଦେହ ଘେରରେ ରହିଛନ୍ତି । ଏହା ଏକ ସରକାରୀ ପାଣ୍ଠି ହୋଇଥିବା ବେଳେ ସରକାର ଏହାକୁ ସୂଚନା ଅଧିକାର ଆଇନର ବାହାରେ ରଖିବାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ପାଣ୍ଠି ସରକାରୀ କିନ୍ତୁ ହିସାବ ବେସରକାରୀ ବୋଲି ବାରମ୍ବାର କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି ।