ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି ହୋଇଛି ଦେଶ ମାତୃକାର କୋଳ…

268

କନକ ବ୍ୟୁରୋ: ୨୦୨୦ ! ଏମିତି ଏକ ବର୍ଷ । ଯାହା ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ । ଭୂତାଣୁଠୁ ଭୂକମ୍ପ, ମୃତ୍ୟୁଠୁ ମହାମାରୀ । ସବୁକିଛି କୁ ସହିଛି ଏ ମାନବଜାତି । ଆଉ ସବୁ ସଙ୍ଘାତିକ ସ୍ଥିତିକୁ ଧର୍ଯ୍ୟର ସହ ସହିଛି ଧରଣୀ । ହେଲେ ପ୍ରକୃତିର କରାଳ ରୂପଠୁ ବି ମାଆକୁ କନ୍ଦାଇ ଦେଇଛି କୋଳଶୂନ୍ୟର କଷ୍ଟ । କାରଣ ଭାରତ ମାତା ହରାଇଛି ଶହେ ସନ୍ତାନ । ବର୍ଷ ୨୦୨୦ ଦେଶ ମାତୃକା କୋଳରୁ ଛଡାଇ ନେଇଛି ୧୦୦ ଜଣ ବୀର ପୁଅଙ୍କୁ । କ୍ୟାଲେଣ୍ଡର ପୃଷ୍ଠାରୁ ୨୦୨୦ ବିଦାୟ ନେଇଛି ସତ ହେଲେ ବିଗତ ବର୍ଷରେ ଯେଉଁ ବୀର ଯବାନଙ୍କୁ ଦେଶ ହରାଇଛି, ସେମାନଙ୍କୁ ଝୁରି ଝୁରି ମାଟି କାନ୍ଦୁଛି ।

ଦେଶ ମାତୃକାର ସୁରକ୍ଷା ସହ ମାଟି ମାଆର ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଯବାନ । ସହିଦ ହୋଇଥିବା ୧୦୦ ଯବାନଙ୍କ ମଧ୍ୟରେ ୬ ଜଣ ଅଧିକାରୀ, ୧୨ ଜଣ ଜେସିଓ ଏବଂ ୮୨ ଜଣ ଓଆରଏସ ଅଛନ୍ତି । କର୍ଣ୍ଣେଲ, ସୁବେଦର, ହାବିଲଦାର, ରାଇଫଲ ମ୍ୟାନ ଆଦି ବୀର ଯବାନଙ୍କୁ ହରାଇଛି ଦେଶ ।
ତେବେ ସହିଦ ହୋଇଥିବା ୧୦୦ ଯବାନଙ୍କ ମଧ୍ୟରେ ସବୁଠୁ ଛାତିଥରା ଥିଲା ଗଲୱାନ ଘାଟି ଘଟଣା । ସୀମାରେ ଭାରତ- ଚୀନ ସେନା ମୁହାଁମୁହିଁ ହେବା ପରେ ୨୦ ଜଣ ଯବାନ ପ୍ରାଣବଳୀ ଦେଇଥିଲେ ଯାହା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ଆଉ ଯବାନଙ୍କ ପ୍ରାଣବଳୀ ପରେ ବୀର ସନ୍ତାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ଦେଶ ସାରା ଜଳିଥିଲା ପ୍ରତିଜ୍ଞାର ନିଆଁ ।

ଆଉ ସେନା ଦିବସରେ ଭାରତ ଚୀନ୍ ସୀମା ବିବାଦ ନେଇ ଚାଲବାଜ ଚୀନକୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପୁଣିଥରେ ସଙ୍କଳ୍ପକୁ ଶକ୍ତ କରିଛନ୍ତି ସ୍ଥଳସେନାର ମୁଖ୍ୟ ।

ତେବେ ରାତି ହେଉ କି ଦିନ, ଖରା ହେଉ କି ଶୀତ… ସବୁବେଳେ, ସବୁ ମୁହୂର୍ତ୍ତରେ ସଜାଗ ଥାଆନ୍ତି ଭାରତର ବୀର ଯବାନ । ରାତିର ଅନ୍ଧାର ଚିରି, ପାଣିର ପ୍ରଖର ସୁଅ କାଟି, ବରଫର ବଳୟ ଭାଙ୍ଗି ଶତ୍ରୁଙ୍କୁ ଚିତ କରନ୍ତି ସେନା ବାହିନୀ । ସେ ଚାଲାକ ଚୀନ ହେଉ କି ସୈତାନ ପାକିସ୍ତାନ ଯେତେବଳେ ବି ଶତ୍ରୁ ସୀମା ଡେଇଁଛି, ଯୁଦ୍ଧ ପାଇଁ ଉଷୁକାଇଛି । ସଙ୍ଗେସଙ୍ଗେ ଶତ୍ରୁର ମୁହଁତୋଡ ଯବାବ ଦେଇଛି ଭାରତ । ଇଟାର ଜବାବ ପଥରର ଦେଇଛନ୍ତି ଆମ ଭାରତୀୟ ବୀର ଯବାନ । ତେଣୁ ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନ ବଳିଦାନ କେବେ ବି ବ୍ୟର୍ଥ ଯିବନି । ଆସନ୍ତୁ ସହିଦ ଯବାନଙ୍କୁ ସଲାମ କରିବା ଆଉ ସୀମାରେ ପହରା ମାରୁଥିବା ପ୍ରତିଟି ଯବାନଙ୍କୁ ସାଲ୍ୟୁଟଟେ ମାରି ସେମାନଙ୍କ ଜୋସ ବଢାଇବା…