୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା ୯୫ ପ୍ରତିଶତ ଇଭିଏମ୍ ମେସିନ୍ ! ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର

38

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ବା ଇଭିଏମ୍ ଆସିସାରିଛି । ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟମାନଙ୍କରୁ ଏସବୁ ମେସିନ୍ ଆସିଛି । ନିର୍ବାଚନରେ ମୋଟ ଇଭିଏମ୍ ଆବଶ୍ୟକତା ତୁଳନାରେ ଆସିଛି ପ୍ରାୟ ୯୫ ପ୍ରତିଶତ । ଅବଶିଷ୍ଟ ସବୁ ଇଭିଏମ୍ ଦିନେ ଦୁଇଦିନ ଭିତରେ ରାଜ୍ୟରେ ପହଞ୍ଚିଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିଇଓ ଶ୍ରୀ କୁମାର କହିଲେ, ଇଭିଏମ୍ ଆସିବା ପରେ ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇ ଆବଶ୍ୟକ ଯାଞ୍ଚ କରାଯାଉଛି । ଏହା ପ୍ରଥମ ସ୍ତରର ଯାଞ୍ଚ ପ୍ରକ୍ରିୟା । ଏହି ପ୍ରକ୍ରିୟା ୧୦ଟି ଜିଲ୍ଲାରେ ଜାରି ରହିଛି ।

photo courtesy-http://www.amarujala.com

ରାଜ୍ୟରେ ଇଭିଏମ୍ ସହିତ ଭୋଟର ଭେରିଫାଏଡ୍ ପେପର୍ ଅଡିଟ୍ ଟ୍ରେଲ୍ ବା ଭିଭିପ୍ୟାଟ୍ ବ୍ୟବହାର କରାଯିବ । ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଓଡ଼ିଶାର ଆବଶ୍ୟକତା ମୁତାବକ ଭିଭିପ୍ୟାଟ୍ ଆସି ପହଞ୍ଚିବ ବୋଲି ସେ କହିଥିଲେ । ସିଇଓ କହିଲେ ଯେ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ରାଜ୍ୟର ୧ ହଜାର ମାଷ୍ଟର ଟ୍ରେନରଙ୍କୁ ଭୁବନେଶ୍ୱରରେ ତାଲିମ ପ୍ରଦାନ କରାଯିବ ।

evm-demo
image courtesy-https://www.ndtv.com

ଜାତୀୟ ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ଦେଶ ଅନୁଯାୟୀ ଜାତୀୟ ସ୍ତରରେ ରାଜ୍ୟର ୧୮ଜଣ ବରିଷ୍ଠ ଅଧିକାରୀଙ୍କୁ ତାଲିମ ଗ୍ରହଣ କରିବେ । ସେମାନେ ଏଠାରେ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରିବେ । ସେହିପରି ମାଷ୍ଟର ଟ୍ରେନରମାନେ ନିଜ ନିଜ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ପୋଲିଙ୍ଗ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ ତାଲିମ ପ୍ରଦାନ କରିବେ । ଏହାଛଡ଼ା, ରାଜ୍ୟରେ ମୋଟ ୪୯୦ଜଣ ରିଟର୍ଣ୍ଣିଙ୍ଗ ଅଫିସର ଓ ସହକାରୀ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ । ସେମାନେ ଉପଯୁକ୍ତ ତାଲିମ ପାଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ପରୀକ୍ଷା କରି ମୂଲ୍ୟାୟନ କରାଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର କହିଥିଲେ ।