କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ । ତ୍ରାଲରେ ନିପାତ ହେଲେ ୬ ଆତଙ୍କୀ । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟ୍ ପୁଣି ଜୋରଦାର ହୋଇଥିବା ପ୍ରମାଣିତ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏନକାଉଣ୍ଟରରେ ଆତଙ୍କୀ ଜାକିର ମୂଷାର ସହଯୋଗୀ କୁହାଯାଉଥିବା ସୋଲିହା ଉର୍ଫ ରେହାନ ପ୍ରାଣ ହରାଇଛି । ପୂର୍ବରୁ କିଛି ଦିନ ତଳେ ଜହୁର ଠୋକରକୁ ନିପାତ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ଥାନ – ଅବନ୍ତୀପୁରା ନିକଟ ଆରାମପୋରା ଗାଁ । ସମୟ – ଶନିବାର ସକାଳ । ଆତଙ୍କ ଗତିବିଧିର ସୂଚନା ପାଇ ସେନା କର୍ଡନ୍ ଓ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଅଚାନକ ଶୁଭେ ଗୁଳିମାଡ଼ର ଶବ୍ଦ । ଯବାନଙ୍କ ଉପରକୁ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଦିଅନ୍ତି । ଯବାନ ତୁରନ୍ତ ନିଜ ପୋଜିସନ୍ ସମ୍ଭାଳିବା ସହ ଆରମ୍ଭ କରିଥିଲେ କାଉଁଟର ଫାୟାରିଂ । ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିବା ପରେ ଯବାନଙ୍କ ଗୁଳିରେ ନିପାତ ହୋଇଥିଲେ ୬ ଆତଙ୍କୀ । ଏହି ଅପରେସନରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫର ୧୮୦ ବାଟାଲିଅନ୍, ଜାମ୍ମୁ କାଶ୍ମୀର ପୁଲିସ ଓ ଏସଓଜିର ଯବାନ୍ ସାମିଲ୍ ହୋଇଥିଲେ । ଗୁଳିମାଡ଼ରେ କୁଖ୍ୟାତ ଆତଙ୍କୀ ଜାକିର ମୂଷାର ସହଯୋଗୀ କୁହାଯାଉଥିବା ସୋଲିହା ଉର୍ଫ ରେହାନ୍ ଖାନ୍ ପ୍ରାଣ ହରାଇଥିବା ସ୍ପଷ୍ଟ କରାଯାଇଛି ।
– ଯବାନଙ୍କ ଗୁଳିରେ ନିପାତ ହୋଇଥିବା ରେହାନ୍ ଖାନ୍ ଉର୍ଫ ସୋଲିହା ଜାକିର ମୂଷାର ଆତଙ୍କୀ ସଙ୍ଗଠନ ଅଂସାର୍ ଗଜୱତ୍ ଉଲ୍ ହିନ୍ଦର ଡେପୁଟି କମାଣ୍ଡର ଥିଲା ।
– ସୋଲିହା ଜାମ୍ମୁ ଓ କାଶ୍ମୀରରେ ଅଂସାର୍ ଗଜୱତ୍ ଉଲ୍ ହିନ୍ଦ୍ ସଙ୍ଗଠନ ଜରିଆରେ ଅଲ କାଏଦା ପାଇଁ ଯୁବକଙ୍କୁ ଜିହାଦ୍ ପାଇଁ ଉସୁକାଉଥିବା ଅଭିଯୋଗ ରହିଛି ।
– ଚଳିତବର୍ଷ ସେନାର ଅପରେସନ୍ ଅଲଆଉଟରେ ଏବେ ପର୍ଯ୍ୟନ୍ତ ୨୫୦ରୁ ଉଦ୍ଧ୍ୱର୍ ଆତଙ୍କୀ ନିପାତ ହେଲେଣି ତେବେ ଗତବର୍ଷ ଏହି ସଂଖ୍ୟା ୨୧୩ ଥିଲା ।
ଜାମ୍ମୁ କାଶ୍ମୀରରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଆତଙ୍କୀ ହେଉଛନ୍ତି ସ୍ଥାନୀୟ ଅଂଚଳର । ଆଜିର ଅପରେସନ୍ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଅନ୍ୟପଟେ ଲଗାତର ଭାବେ କାଶ୍ମୀରରେ ଅପରେସନ୍ ଅଲଆଉଟକୁ ଜୋରଦାର କରାଯିବାରୁ ପାକର ନିଦ ହଜିବା କୁହାଯାଉଛି ।