୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନଜର । କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ମତଗଣନା

୧୧ଟା ସୁଦ୍ଧା ସ୍ପଷ୍ଟ ହୋଇପାରେ କେଉଁଠି, ଫୁଟିବ ପଦ୍ମ ଆଉ କେଉଁଠି ଉଠିବ ହାତ?

106

କନକ ବ୍ୟୁରୋ: ଆଜି ଆସିବ ୫ରାଜ୍ୟର ବିଧାନସଭା ନିର୍ବାର୍ଚନର ଫଳାଫଳ । କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମର ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଜାରି ରହିଛି ଭୋଟ ଗଣନା । ୮୫୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୧ଲକ୍ଷ ୭୪ହଜାର ୭୨୪ଟି ଇଭିଏମରେ ସିଲ ହୋଇ ରହିଛି । ପ୍ରଥମେ ପୋଷ୍ଟାଲ ବାଲଟର ଭୋଟ୍ ଗଣତି ହୋଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ମତଗଣନା କେନ୍ଦ୍ରମାନଙ୍କରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ନିର୍ଧାରିତ ସମୟରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଆଉ ଅପରାହ୍ନ ହେଲା ବେଳକୁ ଏକ ପ୍ରକାର ସ୍ପଷ୍ଟ ହୋଇଯିବ-କେଉଁ ରାଜ୍ୟରେ କିଏ କରିବ ସରକାର? କେଉଁ ଦଳକୁ ମିଳିବ କେତୋଟି ଆସନ । ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ଫଳାଫଳ ଘୋଷଣା କରିବେ ନିର୍ବାଚନ କମିଶନ । ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଯେମିତି ଟେନ୍ସନ୍, ସାଧାରଣ ଜନତାଙ୍କ ଭିତରେ ସେତିକି ଉତ୍କଣ୍ଠା । କାରଣ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ୨୦୧୯ ସାଧାରଣ ନିର୍ବାଚନର ଦିଗ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ଫଳାଫଳ ଉପରେ ପୁରା ଦେଶବାସୀଙ୍କ ନଜର ରହିଛି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । ଏହି ନିର୍ବାଚନରେ କିଏ ମାରିବ ବାଜି ତା ଉପରେ ରହିଛି ସାରା ଦେଶର ନଜର । ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ୍ ପୋଲ ରିପୋର୍ଟ ବିଜେପିକୁ ଚିନ୍ତାରେ ପକାଇଦେଇଛି । ଅଧିକାଂଶ ସର୍ଭେ ସଂସ୍ଥାଙ୍କ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିର ବିଜୟ ଅଭିଯାନରେ ରୋକ୍ ଲାଗିବ । ଏହି ଦୁଇ ରାଜ୍ୟରେ କଂଗ୍ରେସ ଓ ବିଜେପି କାହାକୁ ବହୁମତ ମିଳିବ ନାହିଁ ।

କିନ୍ତୁ କଂଗ୍ରେସ ୨୦୧୩ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିବ । ସେହିପରି ରାଜସ୍ଥାନରେ ବସୁନ୍ଧରାଙ୍କୁ ଝଟକା ଲାଗିବ ବୋଲି ଆକଳନ କରାଯାଇଛି । ବୁଥ୍ ବାହୁଡା ମତ ଅନୁସାରେ ରାଜସ୍ଥାନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ । ତେଲେଙ୍ଗାନାରେ ଟି.ଚନ୍ଦ୍ରଶେଖର ରାୱ ପୁଣି କ୍ଷମତାକୁ ଫେରିବେ । ଅନ୍ୟପଟେ ମିଜୋରାମ କଂଗ୍ରେସ ହାତରୁ ଖସିଯାଇପାରେ ବୋଲି ଆକଳନ କରାଯାଇଛି ।