ସମଲେଶ୍ୱରୀ ଏକ୍ସପ୍ରେସକୁ ଧକ୍କା ଦେଲା ବିଦ୍ୟୁତ ମେଂଟେନାନ୍ସ ଇଂଜିନ୍ । ଲାଗିଲା ଭୟଙ୍କର ନିଆଁ, ଚାଲିଗଲା ୩ ରେଳବାଇ କର୍ମଚାରୀଙ୍କ ଜୀବନ ।

280

କନକ ବ୍ୟୁରୋ : ଟ୍ରେନରେ ନିଆଁ । ହାୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ଲାଗିଲା ନିଆଁ । ରାୟଗଡାର ସିଙ୍ଗାପୁର-କେଉଟପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ସମଲେଶ୍ୱରୀ ଏକ୍ସପ୍ରେସ ସହ ଅନ୍ୟ ଏକ ଇଂଜିନ ଧକ୍କା ହେବାରୁ ନିଆଁ ଲାଗିଛି । ଏଥିରେ ୩ ଜଣ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିନିୟର ସେକ୍ସନ ଇଞ୍ଜିନିୟର ସାଗର, ଇଲେକ୍ଟ୍ରିକାଲ ଟେକ୍ନିସିଆନ୍ ଗୌରୀ ନାଇଡୁ ଏବଂ ମେଣ୍ଟେନାନ୍ସ ଟେକ୍ନିସିଆନ ସୁରେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଅପରାହ୍ନ ସାଢେ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ଇଂଜିନଟି ଧକ୍କା ଦେବା ପରେ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଜଳନ୍ତା ଟ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ କରିଛନ୍ତି ।

ଟ୍ରାକ୍ ମରାମତି କାମରେ ଲାଗିଥିବା ଏକ ଇଂଜିନ୍ ସମଲେଶ୍ୱରୀ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଧକ୍କା ଦେଇଥିବା ଇଂଜିନ୍ ସହ ସମଲେଶ୍ୱରୀ ଏକ୍ସପ୍ରେସର ଦୁଇଟି ବଗି ସଂପୂର୍ଣ୍ଣ ଜଳି ଯାଇଛି । ବିଶାଖାପାଟଣାରୁ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି କେଉଁ ପରିସ୍ଥିତିରେ ଏକ୍ସପ୍ରେସ-ଇଂଜିନ ଧକ୍କା ହେଲା ତାର ତଦନ୍ତ କରୁଛନ୍ତି । ସେପଟେ ଏହିି ଘଟଣାରେ ଦୁଇ ଜଣ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ସିଙ୍ଗାପୁର ଷ୍ଟେସନର ଜଣେ ଓ କେଉଟପଡାର ଜଣେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି ।