ହାତ ସାନିଟାଇଜ୍ ପାଇଁ କୁନି ପିଲାର ଦେଶୀ ଯୁଗାଡ । ଗାଁ ଲୋକଙ୍କୁ ଦେଲା ବଡ ଭେଟି

94

କନକ ବ୍ୟୁରୋ : କରୋନା ମହାମାରୀ କାଳରେ ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରିଆସୁଛନ୍ତି । ସେଥିପାଇଁ ଦୋକାନ ବଜାର ହେଉ କି ମଲ୍ ଏବଂ ଜିମ୍ ସବୁଠି ହାତ ସାନିଟାଇଜ୍ କରିବା ପାଇଁ ମେସିନର ଲଗାଯାଇଛି । କୌଣସି ଜିନିଷକୁ ନଛୁଇଁ ମେସିନ ଆଗରେ ହାତ ହେଖାଇଲେ ସେନ୍ସର ଅନ ହୋଇଯାଏ ଏବଂ ଆପେ ଆପେ ହାତ ଉପରେ ଦୁଇ ବୁନ୍ଦ ସାନିଟାଇଜର ପଡିଯାଏ । କିନ୍ତୁ ନିପଟ ଗାଁ ଅଞ୍ଚଳରେ ଏହି ସୁବିଧା ନାହିଁ । ତେଣୁ ଗାଁର କିଛି କୁନି କୁନି ପିଲା ମିଶି ଏପରି ଏକ ଦେଶୀ ଯୁଗାଡ କରିଛନ୍ତି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ଦୁଇଟି ବୋତଲକୁ ବାଡି ସାହାଯ୍ୟରେ ଝୁଲାଇ ଦିଆଯାଇଛି । ଗୋଟିଏରେ ଡିଟର୍ଜେଣ୍ଟ ପାଉଡର ମିଶା ପାଣି ଏବଂ ଅନ୍ୟଟିରେ ଖାଲି ପାଣି ପୁରାଯାଇଛି । ବୋତଲ ମୁହଁରେ ଛୋଟିଆ କଣା କରାଯାଇଛି । ରସିରେ ଟଙ୍ଗାଯାଇଥିବା ବୋତକୁ ଗୋଡରେ ସାମାନ୍ୟ ତେରଛା କରିବା ମାତ୍ରେ ହାତରେ ଡିଟରଜେଣ୍ଟ ପାଣି ଏବଂ ଅନ୍ୟ ବୋତଲରୁ ଖାଲି ପାଣି ହାତରେ ପଡୁଛି । ସବୁଠୁ ବଡ କଥା ହେଉଛି ଏହା କୌଣସି ପ୍ରୋଜେକ୍ଟ ନୁହେଁ । ଏହାକୁ ଗାଁ ଜଣେ କୁନି ବାଳକ ତିଆରି କରିଛି । କୌଣସି ଜିନିଷରେ ହାତ ନଲଗାଇ କିପରି ହାତ ସଫା କରିହେବା ସେନେଇ ଏକ ଦେଶୀ ଯୁଗାଡ କରିଛି ଜଣେ କୁନି ବାଳକ ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି କେଉଁ ରାଜ୍ୟର ତାହା ଜଣାପଡି ନାହିଁ । କିନ୍ତୁ ଏହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଆଉ ଲୋକ ଏହି ଦେଶୀ ଯୁଗାଡକୁ ଦେଖି ବାଃ ବାଃ କରୁଛନ୍ତି ।