କନକ ବ୍ୟୁରୋ : ଖୋର୍ଦ୍ଧା ଏଡିଜେ କୋର୍ଟ ଜାମିନ ଖାରଜ କରିଦେବା ପରେ ଅସୁସ୍ଥତା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ହେଲେ ଏହା ବିଧାୟକଙ୍କ ବାହାନା ବୋଲି କହି କ୍ୟାପିଟାଲ ହସ୍ପିଟାଲରେ ପହଂଚିଛି ବିଜେପିର ଏକ ଟିମ୍ । ବିଜେପି ଏସଟି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ତରାଇଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଂଚିଥିବାବେଳେ ବିଧାୟକଙ୍କ ପ୍ରକୃତ ସ୍ୱାସ୍ଥ୍ୟବସ୍ଥା କ’ଣ ପଚାରି ବୁଝିଛନ୍ତି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଏଲଡି ସାହୁଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛି ବିଜେପି ଟିମ୍ । ଦଳୀୟ କର୍ମୀମାନେ ହସ୍ପିଟାଲ ଆସି ବିଧାୟକଙ୍କୁ ଭେଟୁଥିବା ଅଭିଯୋଗ କରିଛି ବିଜେପି । ତେବେ ଜେଲ ନଯିବା ପାଇଁ ବିଧାୟକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବାହାନା କରୁଥିବା ବିଜେପି ଅଭିଯୋଗ କରିଛି ।

Advertisment

ହେଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଏଲଡି ସାହୁ କହିଛନ୍ତି ଯେ, ବିଧାୟକଙ୍କ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ତାଙ୍କର ଡାଏବେଟିସ ଓ ବ୍ଲଡପ୍ରେସର ମଧ୍ୟ ରହିଛି । ସେହପରି ଇକୋରେ କିଛି ସମସ୍ୟା ଥିବା ଦେଖାଯାଉଛି । କାଲି କିମ୍ବା ପରଦିନ ଆଞ୍ଜିଓଗ୍ରାମ କରାଯିବା ପରେ ଅଧିକ ସ୍ପଷ୍ଟ ହୋଇପାରିବ । ଏହାପରେ ଅପରେସନ୍ କିମ୍ବା ଷ୍ଟେଂଟ ଲଗାଯିବା ନେଇ ନିଷ୍ପତ୍ତି ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ମେଡିସିନ୍ ଓ କାର୍ଡିଓଲୋଜି ବିଭାଗର ଏକ ଡାକ୍ତରୀ ଟିମ ବିଧାୟକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା କହିଛନ୍ତି ଡାକ୍ତର ଏଲଡି ସାହୁ ।