ଚିକିତ୍ସା ଆଳରେ ରୋଗୀଙ୍କୁ ଶୋଷଣ କରିପାରିବେନି କୌଣସି ବି ଡାକ୍ତରଖାନା ! ଏହି ୩ଟି ଅଧିକାର ବଳରେ ଆପଣଙ୍କୁ ମିଳିବ ଅନେକ ସୁବିଧା
ଏକଥା ସତ କି, କୌଣସି ବି ମଣିଷ ଦିନରାତି ମେଡିକାଲର ଚକ୍କର କାଟିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ହେଲେ ଅଚାନକ୍ ଏଭଳି ପରିସ୍ଥିତି ଆସି ଆମ ଆଗରେ ଠିଆ ହୋଇଯାଏ କି ଇଚ୍ଛା ନଥିଲେ ବି ମେଡିକାଲ କର୍ତ୍ତୃପକ୍ଷଙ୍କ ସାମ୍ନାରେ ଆମକୁ ହାତ ଯୋଡି ନେହୁରା ହେବାକୁ ପଡିଥାଏ । କାହିଁକି ନା କିଛି ମେଡିକାଲ ଏଭଳି ବି ରହିଛି, ଯେଉଁମାନେ କି ଲୋକଙ୍କର ଏହି ଖରାପ ପରିସ୍ଥିତିର ବେଶ୍ ଭଲ ଭାବରେ ଫାଇଦା ଉଠାନ୍ତି ଆଉ ଚିକିତ୍ସା ଆଳରେ ନିରୀହ ତଥା ଗରିବ ଲୋକର ଜୀବନ ଯାକର ସଂଚିତ ଧନକୁ ଆଖି ପିଛୁଳାକେ ଝାମ୍ପି ନିଅନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଯଦି ଆମେ ସଚେତନ ରହିବା ତେବେ ଆମକୁ କେବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ବୋଧହୁଏ ପଡିନପାରେ । ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ହିଁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ବଡ କଥା ହେଲା କି, ଏହା ଦ୍ୱାରା ଆପଣ ଭବିଷ୍ୟତରେ କେବେ କୌଣସି ମେଡିକାଲ କର୍ତ୍ତୃପକ୍ଷଙ୍କ ଲୁଟର ଶିକାର ହୋଇନପାରନ୍ତି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ..
ଖର୍ଚ୍ଚ ଜାଣିବାର ରହିଛି ସଂପୂର୍ଣ୍ଣ ଅଧିକାର
ଯେତେବେଳେ ଆପଣ କୌଣସି ମେଡିକାଲକୁ ରୋଗୀ ଧରି ଯାଉଛନ୍ତି ସେତେବେଳେ ଆପଣଙ୍କର ଏହା ଜାଣିବାର ପୂରା ହକ୍ ରହିଛି କି ଆପଣ ଉକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ ଖର୍ଚ୍ଚ ସଂପର୍କିତ ସମସ୍ତ ବିବରଣୀ ପଚାରି ବୁଝିପାରିବେ । ଏସଂପର୍କରେ ସେଠାକାର ଡାକ୍ତର ଆପଣଙ୍କୁ ଜଣାଇବେ କି ଆପଣ ବାସ୍ତବରେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏହାର ଚିକିତ୍ସା ଖର୍ଚ୍ଚ କେତେ ଲାଗିବ । କାହିଁକି ନା ଏସଂପର୍କରେ ଜାଣିବାର ପୂରା ଅଧିକାର ରୋଗୀଙ୍କୁ ଦିଆଯାଇଛି ।
ଜରୁରୀ ପରିସ୍ଥିତିରେ ସାଧାରଣ ଚିକିତ୍ସା ପାଇବାର ଅଧିକାର
ଜଣେ ସାଧାରଣ ଲୋକ ନିକଟରେ ଅନ୍ୟ ଏକ ଅଧିକାର ରହିଛି କି, ଯଦି ଆପଣ ଇମରଜେନ୍ସିରେ କୌଣସି ମେଡିକାଲରେ ପହଂଚିଛନ୍ତି । ତେବେ ସେଠାରେ ବିନା କୌଣସି ଡିଟେଲ ବା ତଥ୍ୟରେ ଆପଣଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବ । କୌଣସି ବି ଚିକିତ୍ସକ ଏଥିପାଇଁ ଆପଣଙ୍କୁ ମନା କରିପାରିବେ ନାହିଁ କି ଚିକିତ୍ସା ନକରି ଫେରାଇପାରିବେ ନାହିଁ ।
ମେଡିକାଲ ରିପୋର୍ଟ ଏବଂ ରେକର୍ଡ ଉପରେ ଅଧିକାର
ଆମ ସମ୍ବିଧାନରେ ଆପଣଙ୍କୁ ଏକଥା ଉପରେ ଅଧିକାର ଦେଇଛି କି , ଆପଣ ଆପଣଙ୍କର ରୋଗ ସଂପର୍କରେ କୌଣସି ବି ମେଡିକାଲରୁ ବେମାରୀ ସହ ଜଡିତ ସମସ୍ତ ରେକର୍ଡ ମାଗିପାରିବେ । ଏଥିସହିତ ହିଁ ଆପଣଙ୍କର ରୋଗ ସହ ଜଡିତ ପ୍ରତିଟି କାଗଜପତ୍ର ହାସଲ କରିବାର ପୂରା ହକ୍ ରହିଛି । ଯଦି କୌଣସି ବି ମେଡିକାଲ ପ୍ରଶାସନ ଆପଣଙ୍କ ଏସଂପର୍କରେ ସୂଚନା ଦେବାକୁ ମନା କରି ଦିଅନ୍ତି ତେବେ ଉକ୍ତ ମେଡିକାଲ ବିରୋଧରେ ଦୃଢ କାର୍ଯ୍ୟାନ୍ୁଷ୍ଠାନ ନିଆଯାଇପାରେ ।