ଜାଡ଼ରେ ଥରୁଛି ସାରା ଓଡ଼ିଶା: ନୂଆବର୍ଷ ଯାଏ ଜାରି ରହିବ ହାଡ଼ଭଙ୍ଗା ଶୀତ, ଥଣ୍ଡାର ଥାର୍ଡ ଡିଗ୍ରୀରେ ଜନଜୀବନ ବେହାଲ

୫ ଡିଗ୍ରିକୁ ଖସିଲା ଫୁଲବାଣୀ, ୧୦ ଡିଗ୍ରି ତଳେ ୯ ସହର

110

କନକ ବ୍ୟୁରୋ: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର, ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ। ଲଗାତାର ୪ ଦିନ ହେଲାଣି ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ଆହୁରି ୭ ଦିନ ପର‌୍ୟ୍ୟନ୍ତ ଶୀତର ନିସ୍ତାର ନାହିଁ। ଶେଷ ଥର ଲାଗି ୨୦୧୪ ଡିସେମ୍ବର ମାସରେ ଲଗାତାର ୮ ଦିନ ପର‌୍ୟ୍ୟନ୍ତ ୧୦ରୁ ଅଧିକ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଓ ଫୁଲବାଣୀର ତାପମାତ୍ରା ୩ ଡିଗ୍ରି ତଳକୁ ଖସି ଆସିଥିଲା। ଏଥର ତା ଠାରୁ ଅଧିକ କଷ୍ଟ ଦେବ ଶୀତ। ପାଣିପାଗ ବିଜ୍ଞାନୀମାନେ ଏମିତି ପୂର୍ବାନୁମାନ କରିଛନ୍ତି। ଏହା ସୂଚାଉଛି ଯେ ଥଣ୍ଡାରୁ ଏବେ ନିସ୍ତାର ମିଳିବାର ନାହିଁ। ୩୧ ତାରିଖ ପର‌୍ୟ୍ୟନ୍ତ ସାରା ରାଜ୍ୟରେ ଲାଗିରହିବ ଏଭଳି ସ୍ଥିତି।

ରାତିରେ ପାରଦ ଆହୁରି ୨ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ଖସିଯିବ। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ସର୍ବନିମ୍ନ ସ୍ତରକୁ ଚାଲିଆସିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିପାରେ। ଫୁଲବାଣୀର ପାରଦ ଏବେ ସର୍ବନିମ୍ନ ସ୍ତରକୁ ଛୁଇଁଛି। ଗତକାଲି ରାତିରେ ଏଠାରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରହିଥିଲା। ଗତ ୩ ଦିନ ମଧ୍ୟରେ ଏଠାରେ ପାରଦ ଲଗାତାର ଭାବେ ଖସି ଚାଲିଛି। ୫ରୁ ୬ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ପାଇଥିବାରୁ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସନ୍ଧ୍ୟା ହେବା କ୍ଷଣି ଲୋକେ ଘରୁ ବାହାରୁ ନାହାନ୍ତି। ରାତି ଯେତିକି ବଢ଼ୁଛି ଥଣ୍ଡା ମଧ୍ୟ ସେମିତି ବୃଦ୍ଧି ପାଉଛି।

ସୋମବାର ଭୋର ୪ଟା ବେଳକୁ ତାପମାତ୍ରା ସର୍ବନିମ୍ନ ସ୍ତର ଛୁଇଁଥିଲା। ସକାଳ ୮ଟା ପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଫୁଲବାଣୀରେ ଶୀତ ପ୍ରବାହ ଲାଗି ରହିଥିଲା। ଦକ୍ଷିଣ ଓଡ଼ିଶା ବ୍ୟତୀତ ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବି ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଭୁବନେଶ୍ବରରେ ପାରଦ ପୁଣିଥରେ ୧୧.୨ ଡିଗ୍ରିରେ ପହଞ୍ଚିଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏଭଳି ସ୍ଥିତି ୩୧ ତାରିଖ ଯାଏ ଲାଗି ରହିବ। ଆହୁରି ୩ରୁ ୪ ଦିନ ୩ ଡିଗ୍ରି ପର‌୍ୟ୍ୟନ୍ତ ହ୍ରାସ ପାଇବ। ଫୁଲବାଣୀରେ ବି ପ୍ରବଳ କୁହୁଡ଼ି ପଡ଼ିବ। ୨୭ ଓ ୨୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ହାଲକା ବର୍ଷା ହୋଇପାରେ। ଅନ୍ୟ ସ୍ଥାନଗୁଡ଼ିକରେ ପାଗରେ ସେଭଳି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ‘ପେଥାଇ’ ଆସିବାଠାରୁ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି।

‘ପେଥାଇ’ ମାଡ଼ ହେବା ପରେ ଓଡ଼ିଶା ଆଡ଼କୁ ଆସିଲା ନାହିଁ। ସମୁଦ୍ର ଉପକୂଳ ଦେଇ ପଳାଇଲା। ଏବେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ମାତ୍ରା ବହୁତ କମ୍ ରହୁଛି। ପ୍ରତିବର୍ଷ ଏହି ସମୟରେ ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମା ବାୟୁ ଆସିବା ପୂର୍ବରୁ ତାପମାତ୍ରା ବଢ଼ିଥାଏ। ଅତିକ୍ରମ କରିବା ପରେ ତାପମାତ୍ରା କମେ। ଏଥର ‘ପେଥାଇ’ ଯିବା ପରେ ପଶ୍ଚିମ ବାୟୁ ପ୍ରବାହ ଦେଖିବାକୁ ମିଳୁନି। ଉତ୍ତର ପଶ୍ଚିମ ଭାରତରେ ବି ତାପମାତ୍ରା କମୁଛି। ଆକାଶ ମେଘମୁକ୍ତ ରହୁଛି। ଯେଉଁ ହାଲ୍କା ପବନ ହେଉଛି ସେଥିରେ ଜଳୀୟ ବାଷ୍ପ ଶୁଖିଯାଉଛି। ସମୁଦ୍ର ଆଡ଼ୁ ପବନର ପ୍ରବାହ ନାହିଁ। ତେଣୁ ପ୍ରବଳ ଥଣ୍ଡା ହେଉଛି।

ଓଡ଼ିଶା ଉପରେ ଏକ ଟ୍ରପ୍ ଲାଇନ୍ ଥିବାରୁ ୨୭ ତାରିଖରେ ଆଭ୍ୟନ୍ତରୀଣ ଏବଂ ୨୮ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ନୂଆବର୍ଷ ପରେ ପୁଣି ତାପମାତ୍ରା ବଢ଼ିବ। ଅନ୍ୟପକ୍ଷରେ ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟସ୍ଥିତ କୃଷି ପାଣିପାଗ ଉପ ବିଭାଗ ଓ ରାଜ୍ୟ ସରକାରଙ୍କ କୃଷି ନିର୍ଦେଶାଳୟ ପକ୍ଷରୁ କୃଷି ଉପଦେଶ ଜାରି ହୋଇଛି। ରାତିର ତାପମାତ୍ରା କମ୍ ରହୁଥିବାରୁ ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।