ଏମିତି ଭାଇକୁ ସଲାମ ! ବଡ଼ ଭାଇର ଜୀବନ ବଞ୍ଚାଇବାକୁ ସବୁଦିନ ପାଇଁ ଆଖି ବୁଜି ଦେଲା ସାନ ଭାଇ

68

ଯେଉଁଠି ଛୁଞ୍ଚିଏ ଜମି ପାଇଁ ଭାଇ ଭାଇ ମଧ୍ୟରେ ମହାଭାରତ ଯୁଦ୍ଧ ହେଉଛି, ଭାଇର ଜୀବନ ନେବାକୁ ଭାଇ ପଛାଉ ନାହିଁ । ସେଭଳି ସ୍ଥଳେ ବଡ଼ ଭାଇର ଜୀବନ ବଞ୍ଚାଇବାକୁ ଜୀବନ ହାରି ଦେଇଛି ସାନ ଭାଇ । ଏଭଳି ଏକ ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି । ଅସୁସ୍ଥ ବଡ଼ ଭାଇକୁ କିଡ଼ନୀ ଦେବା ପାଇଁ ଇଞ୍ଜିନିୟରିଂ ପଢ଼ୁଥିବା ସାନ ଭାଇ ଜୀବନ ହାରି ଦେଇଛନ୍ତି । ତେବେ ବଡ଼ଭାଇ ପାଇଁ ସାନଭାଇର ଏହି ବଳିଦାନ ବ୍ୟର୍ଥ ଯାଇଛି ।

ଗୁଜରାଟର ୧୯ ବର୍ଷିୟ ନୈତିକ କୁମାର ତାଣ୍ଡେଲ । ଯାହାଙ୍କୁ କଳିଯୁଗର ଭରତ କହିଲେ ମଧ୍ୟ ଭୁଲ ହେବ ନାହିଁ । ବର୍ଣ୍ଣମା ସ୍ଥିତ ବାବାରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଇଞ୍ଜିନିୟରିଂ ପାଠ ପଢ଼ୁଥିବା ନୈତିକଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କ ରୁମମେଟ ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏହାର ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖାନ ତଲାସି କରିବା ପରେ ଏକ ସୁଇସାଇଡ଼ ନୋଟ ଜବତ କରିଥିଲା । ଯେଉଁଥିରେ ନୈତିକ ଲେଖିଥିଲେ, ତାଙ୍କ ମୃତ୍ୟୁ ବିଷୟରେ ତଦନ୍ତ ନ କରିବା ବା କାହାକୁ ନ ପଚାରିବା ପାଇଁ । ଖାସକରି ତାଙ୍କ ବାପା ଓ ମା’ଙ୍କୁ ନ ପଚାରିବାକୁ ଲେଖିଥିଲେ ନୈତିକ । ତେବେ ସୁଇସାଇଡ଼ ନୋଟର ନିଜ ମୃତ୍ୟର କାରଣ ନୈତିକ ଯାହା ଲେଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା ।

ଗତ କିଛି ବର୍ଷ ହେବ ଅକାମୀ ହୋଇଯାଇଥିବା ଓ ଡ଼ାଏଲେସିସରେ ଥିବା ତାଙ୍କ ୨୪ ବର୍ଷିୟ ଭାଇ କେନିଶଙ୍କୁ ତାଙ୍କର କିଡ଼ନୀ ଦେବାକୁ ନୈତିକ ସୁଇସାଇଡ଼ ନୋଟରେ ଲେଖିଛନ୍ତି । ଏପରିକି ତାଙ୍କ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଆବଶ୍ୟକ କରୁଥିବା ଲୋକଙ୍କୁ ଦେବାକୁ ସେ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ ନୈତିକଙ୍କ ଏଭଳି ବଳିଦାନ ସମ୍ପୂର୍ଣ୍ଣ ଭାବେ ବ୍ୟର୍ଥ ଯାଇଛି । କାରଣ ତାଙ୍କ ଶବ ଉଦ୍ଧାର କରିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିଲା । ଫଳରେ ତାଙ୍କର କୌଣସି ଅଙ୍ଗପ୍ରତ୍ୟଙ୍ଗ ଅନ୍ୟ ଲୋକଙ୍କ ଶରୀରରେ ଲଗାଯାଇ ପାରିବ ନାହିଁ । ନୈତିକ ମରିବାର ୩୬ ଘଣ୍ଟା ପରେ ଏହି ଶବକୁ ଉଦ୍ଧାର କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି ।

ପୁଲିସ କହିବା ଅନୁସାରେ, ୩ୟ ସେମିଷ୍ଟାର୍ର କ୍ଲାସ୍ ଆରମ୍ଭ ହେବା ସପ୍ତାହେ ପରେ ତାଣ୍ଡେଲ୍ ଜୁନ୍ ୨୦ ତାରିଖ ଦିନ ପ୍ରତିଷ୍ଠାନରେ ପହଞ୍ଚି ଥିଲେ। ସେ ପହଞ୍ଚିଛନ୍ତି ବୋଲି ତାଙ୍କ ରୁମମେଟକୁ ସେ ଇ-ମେଲ୍ କରିଥିଲେ। ଜୁନ୍ ୨୦ ତାରିଖ ସନ୍ଧ୍ୟାରେ ମାଆଙ୍କ ସହ ଶେଷଥର କଥାବାର୍ତ୍ତା କରିଥିବା ବେଳେ ତାଙ୍କ ମନରେ ବିଷାଦ ଓ ଅସନ୍ତୋଷର କୌଣସି ଲକ୍ଷଣ ନ ଥିଲା।