ଗଣତନ୍ତ୍ର ଦିବସରେ ଆତଙ୍କ ଖେଳାଇଥାନ୍ତା ଏହି ଯୁବତୀ । ଅଂଟାରେ ବୋମା ରଖି କରିଥାନ୍ତା ବିସ୍ଫୋରଣ ।

37

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଆତଙ୍କ ଖେଳାଇଥାନ୍ତା ଏହି ଯୁବତୀ । ମାତ୍ର ୧୮ ବର୍ଷ ବୟସରେ ଦେଶରେ ଆତଙ୍କ ଖେଳାଇବାକୁ ରଚିଥିଲେ ଷଡଯନ୍ତ୍ର । ଶେଷ ପର୍ଯ୍ୟାୟରେ ପହଂଚିଥିଲା ସମସ୍ତ ଗୁପ୍ତ ମନ୍ତ୍ରଣା । କିଛି  ସମୟ ପରେ ଗଣମାଧ୍ୟମରେ ଛାଇ ଯାଇଥାନ୍ତା  ଆତ୍ମଘାତୀରେ ଲିଭିଯାଇଛି ଅନେକ ଜୀବନ  । ଭାରତର  ସୁରକ୍ଷା ନେଇ ଚାଲିଥାନ୍ତା ପୋଷ୍ଟମର୍ଟମ । କିନ୍ତୁ ପୋଲିସ ଓ ଗୁଇନ୍ଦା ବିଭାଗ ସମସ୍ତ ଷଡଯନ୍ତ୍ରକୁ ଭଣ୍ଡୁର କରିଦେଇଥିଲା । ଗଣତନ୍ତ୍ର ଦିବସରେ ସାରାଦେଶରେ ଲୋକମାନେ ଉତ୍ସବ ମନାଉଥିବାବେଳେ ଆକ୍ରମଣ କରି ଏହି ଆନନ୍ଦରେ ଭଟ୍ଟା ପକାଇବାକୁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ ।

ଗତକାଲି ରାତିରେ ଜାମ୍ମୁ ଓ କଶ୍ମୀରରେ ଜଣେ ମହିଳା ଆତ୍ମଘାତି ଆତଙ୍କବାଦୀ ଗିରଫ ହେବା ପରେ ପୁଲିସ ଓ ଗୁଇନ୍ଦା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ।ଏହି ମହିଳା ଆତଙ୍କବାଦୀର ନାଁ ସାଦିୟା ଅନଓ୍ଵର ଶେଖ୍ ଓ ତାହାର ବୟସ ମାତ୍ର ୧୮ ବର୍ଷ । ପୁନେର ଅଧିବାସୀ ଏହି ମହିଳା ଗତ କିଛି ବର୍ଷ ଧରି ଆଇଏସର ସଂପର୍କରେ ଥିଲା ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ସେ ଜାନୁୟାରୀ ୨୬ରେ ରାଜ୍ୟରେ ଗଣତନ୍ତ୍ର ଦିବସ ଉତ୍ସବକୁ ଭଣ୍ଡୁର କରିବା ଲକ୍ଷ୍ୟରେ ଆତ୍ମଘାତି ବୋମା ବିସ୍ପୋରଣ କରିଥାନ୍ତା ବୋଲି ଜଣାପଡିଛି ।

ତେବେ ଆତଙ୍କବାଦୀଙ୍କ ଏପରି ଏକ ଷଡ଼ଯନ୍ତ୍ର ବିଷୟରେ ଭାରତୀୟ ଗୁଇନ୍ଦା ବିଭାଗ ପୂର୍ବରୁ ସୁରାକ ପାଇଥିଲା । ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସେନା ଓ ପୁଲିସକୁ ସତର୍କ କରିଦିଆଯାଇଥିଲା । ଫଳରେ ଗତକାଲି ଏକ ସ୍ୱତନ୍ତ୍ର ଅପରେସନ ପରେ ଦକ୍ଷିଣ କାଶ୍ମୀରରୁ ଶେଖକୁ ଗିରଫ କରାଯାଇଥିଲା ।

ଗତ ୨୦୧୫ରେ ଏହି ଯୁବତୀକୁ ମହାରାଷ୍ଟ୍ରର ଏଟିଏସ ଗିରଫ କରି ପଚରା ଉଚୁରା କରିଥିଲା । ଏଥିରୁ ଜଣାପଡିଥିଲା ଯେ ସେ ସିରିୟା ଯିବାକୁ ଯୋଜନା କରୁଥିଲା । ଏହା ପରେ ତାକୁ ଥଇଥାନ କେନ୍ଦ୍ରକୁ ପଠାଇଦିଆଯାଇଥିଲା ।