ଆଦର୍ଶ ଆଚରଣ ବିଧିର ପ୍ରଭାବ: ଅଧାବାଟରେ ସ୍ୱତନ୍ତ୍ର ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ, ଘରୋଇ ବିମାନରେ ଚେନ୍ନାଇରୁ ଆସିଲେ ଦିଲ୍ଲୀ

1,271

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବାରୁ ଅଧାବାଟରେ ବିମାନ ଛାଡିଲେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ବିମାନ ଛାଡି ଘରୋଇ ବିମାନରେ ଦିଲ୍ଲୀ ଫେରିଲେ ନିର୍ମଳା । ସୂଚନା ଅନୁଯାୟୀ ଗତକାଲି ନିର୍ମଳା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇ ଯାଇଥିଲେ । ଏବଂ ସେହି ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହାରି ଭିତରେ ନିର୍ମଳା ଚେନ୍ନାଇରୁ ଫେରିବା ପୂର୍ବରୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ କମିଶନ । ଆଉ ଲାଗୁ ହୋଇଥିଲା ଆଚରଣ ବିଧି । ଆଚରଣ ବିଧି ଲାଗୁ ହୋଇଥିବାରୁ ସ୍ୱତନ୍ତ୍ର ବିମାନରେ ଆସିନଥିଲେ ନିର୍ମଳା । ପ୍ରାୟ ୪୦ ଅପେକ୍ଷା କରିବା ପରେ ଚେନାଇ ବିମାନବନ୍ଦରରୁ ଏକ ଘରୋଇ କମ୍ପାନୀର ବିମାନରେ ଦିଲ୍ଲୀ ଫେରିଥିଲେ ନିର୍ମଳା ।

ଆଦର୍ଶ ଆଚରଣ ବିଧିର ଅର୍ଥ କଣ?

ଆଦର୍ଶ ଆଚରଣ ବିଧିର ଅର୍ଥ ହେଉଛି – ନିର୍ବାଚନ ପ୍ରକ୍ରିୟା ସମୟରେ ରାଜନୈତିକ ଦଳ ଓ ପୋଲିଂ ଏଜେଂଟମାନେ କ’ଣ କରିବେ ଓ କ’ଣ କରିବେ ନାହିଁ, ତା’ର ଗାଇଡଲାଇନ୍ । ନିର୍ବାଚନ କମିସନ୍ଙ୍କ ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନ ଇସ୍ତାହାର, ନେତାମାନଙ୍କ ଭାଷଣ ଓ ରାଲି, ସଭା ଆଦି କରାଯିବ । ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ପ୍ରକ୍ର୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ଜାରି ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ାକଡ଼ି ଭାବେ ଏହାକୁ ପାଳନ କରିବେ ।

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ପଦକ୍ଷେପ

ଆସାନ୍ତା ମାସ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ । ମେ ମାସ ୧୯ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ନିର୍ବାଚନ କମିଶନ କେତେକ ବଡ ଘୋଷଣା କରିଛନ୍ତି । ଏଥର ପ୍ରାର୍ଥୀ ହେବାକୁ ଚିନ୍ତା କରିଥିବା ରାଜନେତାଙ୍କ ପାଇଁ ଏହି ଖବର ଜାଣିବାର ଆବଶ୍ୟକତା ବି ରହିଛି । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ ହୋଇଛି । ଟିଭି ଓ ଖବରକାଗଜରେ ୩ ଥର ଦେବାକୁ ହେବ ବିଜ୍ଞାପନ ।

ସ୍ୱଚ୍ଛ କରିବାକୁ ସବୁ ବୁଥରେ ଲାଗିବ ଭିଭିପାଟ୍

ସେହିପରି ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବାକୁ କେତେକ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଘୋଷଣା ଅନୁଯାୟୀ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବନ୍ଦ କରାଯିବ । ମତଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ । କଂଟ୍ରୋଲ ରୁମ୍ ୨୪ ଘଂଟିଆ ଟୋଲ ଫି ନମ୍ବର – ୧୫୯୦ ଜାରି କରାଯାଇଛି । ଆଚରଣ ବିଧି ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଅଭିଯୋଗ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ଆପ୍ ଲଂଚ କରାଯାଇଛି । ଅଭିଯୋଗର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବ । ନିର୍ବାଚନରେ ପ୍ରାର୍ଥୀ ହେବାକୁ ହେଲେ ପାନକାର୍ଡ ଜରୁରୀ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।