ବଦଳିଲା ୧୭ ବର୍ଷର ଇତିହାସ ! ରାଜ୍ୟ ମନ୍ତ୍ରିମଣ୍ଡଳରୁ ୯ମନ୍ତ୍ରୀଙ୍କ ଇସ୍ତଫା ପରେ ଜୋରଧରିଲା ରାଜନୀତି

24

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ଏକାଥରେ ବାଦ ପଡିଲେ ୯ ଜଣ ମନ୍ତ୍ରୀ । ଦଳର ସଂଗଠନକୁ ମଜଭୁତ କରିବା ପାଇଁ ମନ୍ତ୍ରୀମଣ୍ଡଳରୁ ସେମାନେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି । ଦଳ ପାଇଁ ପଦ ଛାଡୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ହେଲେ ପ୍ରକୃତରେ ପରଦା ପଛର କାହାଣୀ କଣ? ଯେଉଁ ଯୁବ ନେତାଙ୍କ ଉପରେ ଅଧିକ ଭରସା କରୁଥିଲେ, ସେମାନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ କାଢିଦେଲେ ନବୀନ । ଅତୀତରେ ଦୁର୍ନୀତି ଅଭିଯୋଗ ଆସିବା ମାତ୍ରେ, ନିଜ ଭାବମୂର୍ତିକୁ ରକ୍ଷା କରିବା ଲାଗି ମନ୍ତ୍ରୀମାନଙ୍କୁ ବଳି ପକାଇଛନ୍ତି ନବୀନ । ଏବେ ତାହାର ପୁନରାବୃତି ହୋଇନି ତ । ଏହା ହିଁ ବର୍ତମାନର ବଡ଼ ପ୍ରଶ୍ନ ।
୧୭ ବର୍ଷର ଶାସନ ଭିତରେ ଅନେକ ଥର ମନ୍ତ୍ରୀ ବଦଳାଇଛନ୍ତି ନବୀନ । ହେଲେ ଏହି ମନ୍ତ୍ରିମଣ୍ଡଳ ଅଦଳବଦଳର ବିଶେଷ ଗୁରୁତ୍ୱ ରହିଛି । ଯେତେବେଳେ ସରକାର ଉପରେ ଆଙ୍ଗୁଳି ଉଠେ କିମ୍ବା ଦୁର୍ନୀତିର ଛିଟା ଲାଗେ, ସଂପୃକ୍ତ ମନ୍ତ୍ରୀଙ୍କୁ ହଟାଇ ଦେଇଥାନ୍ତି ନବୀନ । ଅତୀତରେ ନଳିନୀ ମହାନ୍ତି, କମଳା ଦାସ, ପ୍ରଶାନ୍ତ ନନ୍ଦ ଭଳି ନେତା ଦୁର୍ନୀତି ଅଭିଯୋଗରେ ବାଦ ପଡିଛନ୍ତି ମନ୍ତ୍ରିମଣ୍ଡଳରୁ । ତେବେ ଯେଉଁ ମନ୍ତ୍ରୀମାନେ ଏବେ ଇସ୍ତଫା ଦେଇଛନ୍ତି, ସେମାନଙ୍କ ମଧ୍ୟରୁ କିଛି ମନ୍ତ୍ରୀ ଥିଲେ ନବୀନଙ୍କ କ୍ୟାମ୍ପର ଖାସ ନେତା ।

ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମରେ ଥିଲା ଏମାନଙ୍କ ବଡ଼ ଯୋଗଦାନ । କୁହାଯାଉଥିଲା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଭଳି ଯୁବ ନେତାଙ୍କୁ ଅଧିକ ଭରସା ରଖିଥାନ୍ତି ନବୀନ । ମାତ୍ର ଏ ସବୁ ଆକଳନ ଆଜି ପାଣିଫାଟି ଯାଇଛି । ଏହି ନେତାମାନେ ବି ମନ୍ତ୍ରିପଦ ଛାଡିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ । ଏବେ ଚର୍ଚ୍ଚା ଜୋରଧରିଛି, ପୂର୍ବଭଳି ନିଜର ସ୍ୱଚ୍ଛ ଭାବମୂର୍ତିକୁ ଫେରାଇ ଆଣିବା ପାଇଁ ନବୀନ ଖେଳିଛନ୍ତି ମାଷ୍ଟର ଷ୍ଟୋକ୍ ।

ପଂଚାୟତ ନିର୍ବାଚନରେ ବିଜେପିର ଉତଥାନ ଓ ବିଜେଡିର ଲୋକପ୍ରିୟତା ହ୍ରାସ ବ୍ୟଥିତ କରିଛି ନବୀନଙ୍କୁ । ପଂଚାୟତ ନିର୍ବାଚନ ହିଁ ଏକ ସ୍ପଷ୍ଟ ବାର୍ତା ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କୁ । ଯେଉଁ ନେତାମାନଙ୍କ ଉପରେ ଭରସା କରି ଆସିଥିଲେ, ଯେଉଁମାନଙ୍କ ହାତରେ ଅଧିକ କ୍ଷମତା ଦେଇଥିଲେ, ସେମାନଙ୍କ ଉପରେ ଲୋକଙ୍କ ଆସ୍ଥା ତୁଟିଥିବା ବାର୍ତା ଫୁଟି ଉଠିଥିଲା ପଂଚାୟତ ନିର୍ବାଚନରେ । ସେପଟେ ବିଜେପିର ରଣହୁଙ୍କାର ବି ବିଚଳିତ କରି ଦେଇଥିଲା ନବୀନଙ୍କୁ । ସମ୍ଭବତଃ ସେଥିପାଇଁ ଏକ ବଡ ନିଷ୍ପତି ନେବାକୁ ସ୍ଥିର କରିଥିଲେ ବିଜେଡି ସୁପ୍ରିମୋ ।

ରାଜନୈତିକ ସମୀକ୍ଷକମାନେ ମଧ୍ୟ କହୁଛନ୍ତି, ୧୯୬୩ କାମରାଜ ଯୋଜନା ଭଳି ଲୋକଙ୍କ ରୋଷରୁ ଦଳର ଭାବମୂର୍ତି ରକ୍ଷା କରିବାକୁ ଏଭଳି ନିଷ୍ପତି ନିଆଯାଇଛି । ବିଜେପି ଭଳି ଏକ ବଡ଼ ଶକ୍ତିକୁ ରାଜ୍ୟରେ ରୋକ ଲଗାଇବାକୁ ନବୀନଙ୍କ ଏହି ପରିବର୍ତନର ନକ୍ସା କେତେ କାମ କରିବ, ତାହା କିଛି ଦିନ ମଧ୍ୟରେ ନିଶ୍ଚିତ ଜଣାପଡିବ ।

ଦେଖନ୍ତୁ ଏହି ଭିଡିଓ –