ଟିକସ କମାଇ ବେସ୍ ପ୍ରାଇସ ବଢାଉଛି କେନ୍ଦ୍ର ! ସାମ୍ନାକୁ ଆସିଲା ଡିଜେଲ ଦର ବୃଦ୍ଧି ଅଙ୍କର ନାଟକ, ଧର୍ମେନ୍ଦ୍ରଙ୍କ ଉପରେ ପୁଣି ବର୍ଷିଲେ ଶଶୀ ।

30

କନକ ବ୍ୟୁରୋ : ତିନି ଦିନ ହେଲା ପେଟ୍ରୋଲ ଦରକୁ ଟପିଗଲାଣି ଡିଜେଲ ଦର । ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ଏକ ବିଚିତ୍ର ଅବସ୍ଥା । ଏଭଳି କାହିଁକି ହେଉଛି ସେ ନେଇ ଏବେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ । ଆସନ୍ତୁ ଦେଖିବା କାହିଁକି ବଢ଼ୁଛି ଡିଜେଲ୍ ଦର ? ପେଟ୍ରୋଲଠାରୁ ଡିଜେଲ୍ ବେସ୍ ରେଟ୍ ଅଧିକ କାହିଁକି ?

ବର୍ଷ ବର୍ଷ ଧରି ଡିଜେଲ୍ ଦର ପେଟ୍ରୋଲ ଦର ତଳେ ରହୁଥିବା ବେଳେ ଏବେ କାହିଁକି ପେଟ୍ରୋଲକୁ ଟପିଯାଉଛି ଡିଜେଲ୍ ଦର ? କେନ୍ଦ୍ର ସରକାର ପେଟ୍ରୋଲ ତୁଳନାରେ ଡିଜେଲ୍ ଉପରେ ପ୍ରାୟ ୪ ଟଙ୍କାର କେନ୍ଦ୍ରୀୟ ଟିକସ କମାଇ ଦେଇଛନ୍ତି । ମାତ୍ର ଡିଜେଲର ମୂଳ ଦର ବା ବେସ୍ ପ୍ରାଇସକୁ ଠିକ୍ ସେତିକି ଅର୍ଥାତ୍ ପ୍ରାୟ ୪ ଟଙ୍କା ବଢ଼ାଇ ଦେଇଛନ୍ତି । ଫଳରେ ଗ୍ରାହକଙ୍କୁ ଟିକସ ହ୍ରାସର କୌଣସି ସୁଫଳ ମିଳୁନାହିଁ ।

ଦେଖନ୍ତୁ ଭୁବନେଶ୍ୱରରେ ରହିଥିବା ଆଜିର ଚିତ୍ରକୁ :

ପେଟ୍ରୋଲ                                                   ଟଙ୍କା

ଡିଲରଠାରୁ ତୈଳ କମ୍ପାନୀ ନେଉଥିବା ଦର     ୪୬.୪୯

କେନ୍ଦ୍ରୀୟ ଟିକସ-                                         ୧୭.୯୮

ଭାଟ-                                                        ୧୫.୮୯

ମୋଟ                                                       ୮୦.୩୬

ଡିଜେଲ                                                         ଟଙ୍କା

ଡିଲରଠାରୁ ତୈଳ କମ୍ପାନୀ ନେଉଥିବା ଦର-      ୫୦.୫୧

କେନ୍ଦ୍ରୀୟ ଟିକସ-                                           ୧୪.୦୯

ରାଜ୍ୟ ଟିକସ-                                               ୧୫.୮୯

ମୋଟ                                                          ୮୦.୪୯

ଏମିତି ଦେଖିଲେ ଆଜି ଭୁବନେଶ୍ୱରରେ ପ୍ରେଟୋଲ ଠାରୁ ଡିଜେଲ୍ ଦର ୧୩ ପଇସା ଅଧିକ ରହିଛି । ଶନିବାରଠାରୁ ଓଡ଼ିଶାରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅନ୍ୟପଟେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଭାଟ୍ କମ୍ କରୁନଥିବା ଦର୍ଶାଇ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଟାର୍ଗେଟ୍ କରିଥିଲେ । ଆଜି ଏହାର ଜବାବ ଦେଇଛନ୍ତି ମନ୍ତ୍ରୀ ଶଶୀଭୂଷଣ ବେହେରା । ତୈଳ ଦର ବୃଦ୍ଧି କେନ୍ଦ୍ର ତୈଳ ମନ୍ତ୍ରୀଙ୍କ ଅପରାଗତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ଯେଉଁ ବେସ୍ ପ୍ରାଇସକୁ ନେଇ ଏବେ ତମ୍ବିତୋଫାନ ହେଉଛି, ତାହା ହେଉଛି ବିନା ଟିକସରେ ଡିଲରଙ୍କ ଠାରୁ ତୈଳ କଂପାନୀ ନେଉଥିବା ଦର । ଗୋଟିଏ ପଟେ କେନ୍ଦ୍ର ସରକାର ଟିକସ କମାଉଛନ୍ତି, ଅନ୍ୟପଟେ ଡିଜେଲର ବେସ ପ୍ରାଇସ୍ ବୃଦ୍ଧି କରିଥିବାରୁ ଅଜବ ସ୍ଥିତି ଉପୁଜିଛି ।