ଚୀନ୍ ସୀମାକୁ ନେଇ ବିବାଦ ଭିତରେ ପୂର୍ବତନ ସାମରିକ ଅଧିକାରୀ କହିଲେ ଅସଲ କଥା : କାହିଁକି ଭାରତ ସହ ଯୁଦ୍ଧ କରିବାକୁ ଡରୁଛି ଚୀନ୍

78

କନକ ବ୍ୟୁରୋ : ଭାରତ ସହ ଯୁଦ୍ଧକୁ ଭୟ । ଡୋକଲାମରେ ସୀମିତ ଡ୍ରାଗନର ଦମ୍ଭ । ଭାରତର ଶକ୍ତି ସାମର୍ଥ୍ୟକୁ ଭୟ କରୁଛି ଚୀନ । କାରଣ ସମ୍ମୁଖ ଯୁଦ୍ଧରେ ଭାରତକୁ ପରାସ୍ତ କରିବା ସମ୍ଭବ ନୁହେଁ ବୋଲି ଜାଣିଛି ପଡୋଶୀ । ଆଉ ସେଥିପାଇଁ କେବଳ ମିଡିଆରେ ବୟାନବାଜି ଜରିଆରେ ଚାପ ପକାଇବାକୁ ଉଦ୍ୟମ ଜାରି ରଖିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତକୁ ଭୀଷଣ ଭୟ କରୁଛି ଚୀନ ସେନା । ସେଥିପାଇଁ ବର୍ତ୍ତମାନ ସମୟରେ କୌଣସି ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ନାହିଁ । ଆଉ ଯଦି ଯୁଦ୍ଧ ହୁଏ, ତାହେଲେ ପଡୋଶୀକୁ ପାନେ ଦେବା ପାଇଁ ଭାରତର ତିନି ସେନା ପାଖରେ ଯଥେଷ୍ଟ ଦମ୍ ରହିଛି । ଚୀନରେ ଚାପ ଆଗରେ ନଇଁବ ନାହିଁ ବୋଲି ଭାରତ ମଧ୍ୟ ତାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । କାରଣ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ବହୁ ପୂର୍ବରୁ କହିସାରିଛନ୍ତି ଯେ, ୧୯୬୨ ତୁଳନାରେ ପରିସ୍ଥିତି ବହୁତ ବଦଳି ସାରିଛି ।

ଏବେ ଆସନ୍ତୁ ନଜର ପକାଇବା ଭାରତର ଶକ୍ତି ସାମର୍ଥ୍ୟ ଉପରେ –
୧- ଭାରତର ଅଗ୍ନୀ ସିରିଜର ମିଶାଇଲ ଚୀନ ବିରୋଧରେ ସବୁଠାରୁ ବଡ ଅସ୍ତ୍ର ।
କୁହାଯାଏ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିଶାଇଲ ଖୁବ ସଠିକ ଭାବରେ ଲକ୍ଷ୍ୟଭେଦ କରିପାରେ ।
୨- ଅଗ୍ନୀ ସିରିଜର ଅଗ୍ନୀ-୫ ମିଶାଇଲ ଚୀନର ଯେକୌଣସି ଅଂଚଳକୁ ଲକ୍ଷ୍ୟଭେଦ କରିପାରେ ।
୩- ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେଉଥିବାରୁ ଏହାର ଉତ୍ପାଦନ କ୍ଷମତା ବେଶ ଅଧିକ
ଯାହା ଚୀନ ପାଇଁ ସବୁଠୁ ବଡ ଚିନ୍ତାର କାରଣ ।
୪- ଭାରତର ଆଉଏକ ବଡ ଭରସା ହେଉଛି ଏହାର ମିଶାଇଲ ଡିଫେନ୍ସ ସିଷ୍ଟମ । ଶତ୍ରୁପକ୍ଷର ମିସାଇଲକୁ ଧ୍ୱଂସ କରିବାର କ୍ଷମତା ରଖୁଥିବା ଏହି ଡିଫେନ୍ସ ସିଷ୍ଟମ ଚୀନ ପାଖରେ ନାହିଁ । ଏହା କେବଳ ଆମେରିକା, ଋଷ, ଫ୍ରାନ୍ସ, ଇସ୍ରାଏଲ ଓ ଭାରତରେ ପାଖରେ ରହିଛି ।
୫- ମିସାଇଲ ଡିଫେନ୍ସ ସିଷ୍ଟମ ମଧ୍ୟ ସ୍ୱଦେଶୀ ହୋଇଥିବାରୁ ଏହାର ବହୁ ପରିମାଣରେ ଏବଂ ସହଜରେ ଉତ୍ପାଦନ ସମ୍ଭବ  ।
୬- ଭାରତର ଆକାଶ ବାହିନୀର କ୍ଷମତା ମଧ୍ୟ ଚୀନଠାରୁ କମ୍ ନୁହେଁ  ।
୭- ଚୀନ ଆଣବିକ ଶକ୍ତିରେ ମଧ୍ୟ ଭାରତକୁ ଧମକ ଦେଇପାରିବ ନାହିଁ  କାରଣ ଆଣବିକ ବୋମା ନିର୍ମାଣ କ୍ଷେତ୍ରରେ ଭାରତ ସ୍ୱୟଂସଂପୂର୍ଣ୍ଣ ।
୮- ଭାରତୀୟ ନୌସେନା ମଧ୍ୟ ଚୀନର କୌଣସି ଶକ୍ତିକୁ ମୁକାବିଲା କରିବାକୁ ସମର୍ଥ । ଯୁଦ୍ଧ ସମୟରେ ସମୁଦ୍ର ଭିତରେ ଯୁଦ୍ଧ ଯାହାଜ ପରିବହନ ଓ ଆକାଶକୁ ଉଡାଣ କରାଇବାର କ୍ଷମତାରେ ମଧ୍ୟ ଚୀନଠାରୁ ଭାରତ ଆଗୁଆ ।

ସିକିମରେ ଚୀନସେନାର ମୁକାବିଲା ପାଇଁ ଗତ ୩୦ବର୍ଷ ହେଲା ପ୍ରସ୍ତୁତି କରିଆସୁଛି ଭାରତ । ଏଠାରେ ତିନିଟି କୋର ତିଆରି ସରିଥିବାବେଳେ ପର୍ବତାଂଚଳରେ ଚତୁର୍ଥ କୋର ତିଆରି ଚାଲିଛି । ଏସବୁ ଦୃଷ୍ଟିରୁ ଦେଖିଲେ ଡୋକଲାମ ଅଂଚଳରୁ ଭାରତୀୟ ସେନା ହଟିବାର ପ୍ରଶ୍ନ ଉଠୁନାହିଁ । ଯାହା ପରିସ୍ଥିତିକୁ ଆହୁରି ସଂକଟାପନ୍ନ କରିଦେଇଛି ।